‘ଫୋନି’ ପରେ ସୁଧୁରୁଛି ୬ ଜିଲ୍ଲାର ସ୍ଥିତି । ୭ ଦିନ ମଧ୍ୟରେ ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ।

86

କନକ ବ୍ୟୁରୋ: ‘ଫୋନି’ ପ୍ରଭାବିତ ୬ଟି ଜିଲ୍ଲା ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଏବେ ସ୍ଥିତି ସୁଧୁରୁଛି। ଜନଜୀବନ ଯେପରି ସ୍ବାଭାବିକ ହେବ ସେଥିପାଇଁ ପ୍ରଶାସନ ଜୋରଦାର୍ ଉଦ୍ୟମ କରୁଛି ବୋଲି କହିଛନ୍ତି ରାଜ୍ୟ ସରକାର । ଗ୍ରାମୀଣ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉପରୋକ୍ତ ୬ଟି ଜିଲ୍ଲାରେ ୨୩୬୪ଟି ଜଳଯୋଗାଣ ବ୍ୟବସ୍ଥା ଥିବା ବେଳେ ଏବେ ସୁଦ୍ଧା ୧୫୫୦ଟିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ୩୦୦ ଉଚ୍ଚ ଶକ୍ତିସଂପନ୍ନ ଜେନେରେଟର ବ୍ୟବହାର କରି ଜଳଯୋଗାଣ ବ୍ୟବସ୍ଥାକୁ ସ୍ବାଭାବିକ କରାଯାଉଛି। ଆସନ୍ତା ୭ଦିନ ଭିତରେ ୨୩୬୪ଟି ଯାକ ଜଳ ଯୋଗାଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଜଳ ଯୋଗାଣ ବ୍ୟବସ୍ଥାକୁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୨୬ଟି ଏବଂ ପୁରୀ ଜିଲ୍ଲାରେ ୭୧ଟି ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି । ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି। ଖୁବ୍ ଶୀଘ୍ର ସମସ୍ତ ଜଳଯୋଗାଣ ବ୍ୟବସ୍ଥାକୁ ଶତପ୍ରତିଶତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ।

ସେହିପରି ବିଦ୍ୟୁତ ସରବରାହ ଭିତ୍ତିଭୂମିକୁ ସ୍ବାଭାବିକ କରିବା ପାଇଁ ତ୍ବରିତ ବେଗରେ କାର‌୍ୟ୍ୟ ଚାଲିଛି। ଭୁବନେଶ୍ବର ସହରରେ ସେସୁ ଅଧୀନସ୍ଥ ତିନିଟି ଡିଭିଜନରେ ୧୪୯ଟି ଫିଡରରୁ ଆଜି ରାତି ସୁଦ୍ଧା ୬୮ଟି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି । ବିଏମ୍ସି ଅଞ୍ଚଳରେ ଶୁକ୍ରବାର ରାତି ସୁଦ୍ଧା ୮୦% ବିଦ୍ୟୁତ ସଂଯୋଗୀକରଣ ଏବଂ ୧୨ତାରିଖ ସୁଦ୍ଧା ସଂପୂର୍ଣ୍ଣ ସଂଯୋଗୀକରଣ କରିବାକୁ ଜୋରଦାର୍ କାମ ହେଉଛି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ବିସିଡିଡି-୧ର ବାକି ରହିଥିବା ୬ଟି ଫିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା ଚାଲିଛି । ସେହିଭଳି ବିସିଡିଡି-୨ ଅନ୍ତର୍ଗତ ୬୬ଟି ୧୧କେଭି ଫିଡର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯ଟିକୁ ଚାର୍ଜ କରାଯାଇ ୩୩ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି। ଅତିରିକ୍ତ ୨୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ବିଭିନ୍ନ ବସ୍ତିବାସିନ୍ଦା ଅନ୍ତର୍ଭୁକ୍ତ।

ସେହିଭଳି ବିଇଡିର ୧୫ଟି ଫିଡର ଚାର୍ଜ କରାଯାଇଛି । ଅବଶିଷ୍ଟ ୬ଟି ଫିଡରକୁ ରାତି ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଚାଲିଛି । ବିଇଡି ଡିଭିଜନ ଅନ୍ତର୍ଭୁକ୍ତ ସହରାଞ୍ଚଳର ୭୮ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୧୬ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ୧୨ତାରିଖ ସୁଦ୍ଧା ଭୁବନେଶ୍ବରର ସମସ୍ତ ୨ଲକ୍ଷ ୩୩ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବ।

୧୨ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଜୋରଦାର କାମ ହେଉଛି। ପୁରୀ ଜିଲ୍ଲାରେ ନିୟୋଜିତ ୧୭୫ଟି ଗ୍ୟାଙ୍ଗର ପ୍ରାୟ ୧୮୦୦ ବିଦ୍ୟୁତ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର‌୍ୟ୍ୟ କରୁଛନ୍ତି । ୧୫ତାରିଖରୁ ପୁରୀ ସହରର ଅନ୍ୟ ଅଞ୍ଚଳ ଓ କୋଣାର୍କରେ ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ଯୋଗାଣ ଆରମ୍ଭ କରିବାକୁ ନିରନ୍ତର କାମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ସଂଜୟ ସିଂହ।

ଏହାସହ ୫୦୦ରୁ ଅଧିକ ଆଇଟିଆଇ ଓ ପଲିଟେକନିକ୍ ପ୍ରଶିକ୍ଷାର୍ଥୀ ଘରୋଇ ଉପଭୋକ୍ତାମାନଙ୍କୁ ସହଯୋଗ କରିବା ପାଇଁ ନିୟୋଜିତ ହୋଇଛନ୍ତି। ଏହି ପ୍ରଶିକ୍ଷାର୍ଥୀମାନେ ଘରଘର ବୁଲି ଘରୋଇ ବିଦ୍ୟୁତ ସେବା ସଜାଡ଼ିବାରେ ସହଯୋଗ କରିବେ।