‘ଫୋନି’ ଉଜାଡ଼ିଦେଲା ବେଉସା । କେଇ ଘଣ୍ଟାର ତାଣ୍ଡବରେ ଛାରଖାର ହୋଇଗଲା ଏକର ଏକର ପାନ ଚାଷ, ମୁଣ୍ଡରେ ହାତଦେଇ ବସିଛନ୍ତି ମତ୍ସ୍ୟଜୀବୀ ।

115

କନକ ବ୍ୟୁରୋ: ଉଡିଗଲା ବରଜ, ବୁଡିଗଲା ବେଉସା । କେଇ ଘଂଟାର ଝଡ ତୋଫାନରେ ଛାରଖାର ହୋଇଗଲା ଏକର ଏକର୍ ପାନ ଚାଷ । ଫୋନିର ତାଣ୍ଡବ ପରେ ଇଏ ହେଉଛି ଅସ୍ତରଙ୍ଗ ଅଂଚଳର ଦୃଶ୍ୟ । ଉଜୁଡ଼ି ଯାଇଥିବା ପାନ ବରଜକୁ ସଜାଡିବା ପାଇଁ ଏବେ ଚାଷୀ କରୁଛି କସରତ । ଭଙ୍ଗା ତାଟିକୁ ଉଠାଇ ପୁଣି ଥରେ ସଳଖି ଠିଆ କରିବାକୁ ଚେଷ୍ଟା କରୁଛି ଚାଷୀ । ଏଭଳି ସ୍ଥିତିରେ କେମିତି କ୍ଷତି ଭରଣା ହେବ ସେ କଥା ଭାବିଲା ବେଳକୁ ଚାଷୀ ମୁଣ୍ଡର ଚଡକ ପଡ଼ିଯାଉଛି ।

ଏବେ ବଡ ଚିନ୍ତା କେମିତି  ଚଳିବ ପରିବାର । କ’ଣ ଖାଇବେ, କେମିତି ବଂଚିବେ । ଭାତ ହାଣ୍ଡି ଥିବା ପାନ ଚାଷର ଏଭଳି ଅବସ୍ଥା ପରେ ଚାଷୀଙ୍କ ଅଂଟା ଭାଙ୍ଗି ଯାଇଛି । ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କାରେ ଖର୍ଚ୍ଚ କରି ପାନ ଚାଷ କରିଥିଲେ । ହେଲେ ସ୍ଥିତି ଏମିତି ହୋଇଛି ଯେ, ମୁଳ ବାହାରିବା ମୁସ୍କିଲ୍ ।

ସେହିପରି ମତ୍ସ୍ୟଜୀବୀଙ୍କ ଅବସ୍ଥା ଆହୁରି ଖରାପ । ଉଜୁଡି ଯାଇଛି ବେଉସା । ଜାଲ୍ ଛିଣ୍ଡିଯାଇଛି, ଡଙ୍ଗାରେ ବାଲି ଚରିଯାଇଛି । ଯାହାକୁ ଭରସା କରି ପରିବାର ପ୍ରତିପୋଷଣ କରୁଥିଲେ, ସେହି ଜୀବିକା ଉପରେ ପଡିଛି ବଡ଼ ବିପତି । ଆଉ ଆଖି ଆଗରେ ସବୁ କିଛି ନଷ୍ଟ ହୋଇଥିବା ପରେ ଏବେ ଚାଷୀଙ୍କ ପାଇଁ ଭରସା କରିଲେ କେବଳ ସରକାରୀ ସହାୟତା ।