ଲୋକସେବା ଭବନରେ ‘ବୁଲବୁଲ୍’ ସମୀକ୍ଷା । ବାତ୍ୟାରେ ବେହାଲ ହୋଇଛି ୬ଟି ଜିଲ୍ଲା, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସେବା ଯୋଗାଇବାକୁ ନିର୍ଦ୍ଦେଶ ।

282

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ର ପରବର୍ତ୍ତୀ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ରାଜ୍ୟର ୬ଟି ଜିଲ୍ଲା ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ରହିଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହ, ଯାଜପୁର ଓ ମୟୂରଭଞ୍ଜ । ତେଣୁ ଏହି ୬ଟି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିଭଳି ପ୍ରଭାବିତ ଏହି ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଦ୍ୟୁତ୍ ଯୋଗାଯୋଗ ବଛିନ୍ନ ହୋଇଯାଇଥିଲା । ହେଲେ ପ୍ରଶାସନର ତତ୍ପରତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ୍ ଯୋଗାଣ ପୁନଃରୁଦ୍ଧାର କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ଜେନା କହିଛନ୍ତି । ଅନ୍ୟପଟେ ପ୍ରଭାବିତ ଅଞ୍ଚଳର ଅବଶିଷ୍ଟ ବିଦ୍ୟୁତ୍ କାର୍ଯ୍ୟର ପୁନଃରୁଦ୍ଧାର ପାଇଁ ମଙ୍ଗବାର ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅନ୍ୟପଟେ ପ୍ରାଥମିକ ଆକଳନ ଅନୁସାରେ ବୁଲବୁଲ ଯୋଗୁଁ ପାଖାପାଖି ୩ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ରିପୋର୍ଟ ହସ୍ତଗତ ହୋଇଛି । ସେଥିମଧ୍ୟରୁ ୨ଲକ୍ଷ ହେକ୍ଟର ଜମିରେ ଶତକ’ା ୩୩ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି । ତେଣୁ ଫସଲ ନଷ୍ଟର ସଠିକ୍ ଆକଳନ ଆସନ୍ତା ୫ ଦିନ ମଧ୍ୟରେ ଶେଷ କରିବାକୁ କୃଷି ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଠିକ୍ ସେହିଭଳି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କହିବା ମୁତାବକ, ପ୍ରଭାବିତ ଜିଲ୍ଲାର ପ୍ରାୟ ୫ ହଜାର ୫୦୦ ଘର କ୍ଷତିଗ୍ରସ୍ତ ହୋଇଛି । ତେଣୁ ଏଗୁଡ଼ିକର ସଠିକ୍ ପ୍ରମାଣ ଭିତ୍ତିକ ତନଖି କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବର୍ତ୍ତମାନ ସୁଦ୍ଧା ଓଡ୍ରାଫ୍, ଏନ.ଡି.ଆର.ଏଫ୍ ଏବଂ ଅଗ୍ନିଶମ ସଂସ୍ଥା ଟିମ୍ ମାନଙ୍କ ଦ୍ୱାରା ପ୍ରାୟ ୪୬ଟି ବ୍ଲକ ଏବଂ ୧୨ଟି ସହରାଞ୍ଚଳରେ ରାସ୍ତାଘାଟ ସଫା କରାଯାଇ ଗମନାଗମନ ବ୍ୟବସ୍ଥାକୁ ପୁନଃ ସ୍ଥାପନ କରାଯାଇଛି । ତେବେ ବାତ୍ୟାରେ ମାତ୍ର ଜଣକର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ବାତ୍ୟାରେ ବିଶେଷ ପ୍ରଭାବିତ ହେବାକୁଥିବା ତଳିଆ ଅଞ୍ଚଳରୁ ୮,୬୬୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୯୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସ୍ଥିତି ସୁଧୁରିବା ପରେ ସେମାନେ ନିଜନିଜ ଘରକୁ ଫେରିଯାଇଥିବା ପ୍ରଶାସନ ତରଫରୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।