ମୃତ୍ୟୁ ମୁହଁରୁ ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ । ସୁଡଙ୍ଗରେ ଫସିଥିବା ଲୋକଙ୍କ ମୋବଇଲ୍ ସିଗନାଲରୁ ମିଳିଲା ସଙ୍କେତ ।

175

କନକ ବ୍ୟୁରୋ : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ? ଉତରାଖଣ୍ଡରେ ହିମସ୍ଖଳନ ପରେ ଚମୋଲି ଜିଲ୍ଲାର ତପୋବନରେ ଥିବା ପ୍ରଥମ ସୁଡଙ୍ଗରେ ଫସି ଯାଇଥିବା ଶ୍ରମିକ ତାଙ୍କର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ପାଣି ଓ କାଦୁଅ ଭିତରେ ଫସିଥିବା ଶ୍ରମିକମାନେ କିପରି ଜୀବନ ବଂଚାଇବା ପାଇଁ ସଂଘର୍ଷ କରିଥିଲେ ଏବଂ ପରେ କିପରି ଦେବଦୂତ ସାଜି ପହଂଚିଥିଲେ ଆଇଟିବିିପି ଯବାନ ।

ଆପଣ ଦେଖୁଛନ୍ତି ସେହି ଘଟଣାର ଏକ ପ୍ରତିକାତ୍ମକ ଦୃଶ୍ୟ । ହିମସ୍ଖଳନ ପରେ ତପୋବନରେ ଥିବା ଶୁଡଙ୍ଗ ଭିତରକୁ ଅଚାନକ ମାଡିଆସିଲା ପାଣି । ଲୋକେ ଧାଁ, ଧଉଡ ଆରମ୍ଭ କରିଦେଲେ । ଟନେଲରେ କାମ କରୁଥିବା ଶ୍ରମିକମାନଙ୍କୁ ତୁରନ୍ତ ବାହାରି ଆସିବା ପାଇଁ କୁହାଯାଇଥିଲା । ହେଲେ ପ୍ରାୟ ୩ ଶହ ମିଟର ଭିତରେ ଥିବା ଶ୍ରମିକମାନେ କିଛି ବୁଝିବା ଆଗରୁ ଟନେଲରେ ଭର୍ତି ହୋଇଗଲା ପାଣି ଓ କାଦୁଅ । ଧିରେଧିରେ ଜଳସ୍ତର ବଢୁଥାଏ । ଆଉ ଜୀବନ ବଂଚାଇବା ପାଇଁ ଏହି ଶ୍ରମିକମାନେ କେବଳ ନିଜ ମୁହଁକୁ ପାଣିରୁ ବାହାରେ ରଖିବା ପାଇଁ ଟନେଲର ସିଲିଂରେ ଥିବା ଲୁହା ରଡକୁ ଧରି ଝୁଲିପଡିଥିଲେ ।

ଜୀବନ ବଂଚାଇବାକୁ ଟନେଲର ସିଲିଂରେ ଥିବା ଲୁହା ରଡକୁ ଧରି ଝୁଲିରହିଥିଲେ । ପାଣି ଅଳ୍ପ କମିବା ପରେ କାଦୁଅ ଭିତରେ ଚାଲି ଚାଲି କିଛି ବାଟ ଆଗକୁ ଆସିଥିଲେ । ଶୁଡଙ୍ଗ ଭିତରେ ମୋବାଇଲ ନେଟୱର୍କ ଥିବା ଦେଖି ସାମାନ୍ୟ ଆଶ୍ୱସ୍ତ ହେବା ପରେ ସଙ୍ଗେସଙ୍ଗେ ଫୋନ୍ କରି ଖବର ପହଂଚାଇଥିଲେ । ଦୀର୍ଘ ସମୟ ଧରି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ପରେ ଦେବଦୂତ ଭଳି ପହଂଚିଥିଲେ ଆଇଟିବିପିର ଯବାନ । ଯବାନଙ୍କୁ ଦେଖି ଶ୍ରମିକ ମାନେ ଆଶ୍ୱସ୍ତ ହୋଇଥିଲେ । ଆଉ ଏହା ହେଉଛି ତା ପରର ଦୃଶ୍ୟ । ଯେତେବେଳେ ଶ୍ରମିକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ଯବାନ । ସତେ ଯେମିତି ତାଙ୍କୁ ମିଳିଯାଇଥିଲା ଆଉ ଏକ ଜନ୍ମ । ଆଉ ଉଦ୍ଧାର ହୋଇଥିଲେ ସମସ୍ତ ଶ୍ରମିକ ।

ରବିବାର ଦିନ ଉତରାଖଣ୍ଡର ଚମୋଲି ଠାରେ ହିମସ୍ଖଳନରେ ଦୁଇଟି ଶୁଡଙ୍ଗ ଭିତରେ ଫସିରହିଥିଲେ ଶ୍ରମିକ । ତେବେ ପ୍ରଥମ ଶୁଡଙ୍ଗରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ଶୁଡଙ୍ଗରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।