ବଲାଙ୍ଗୀର ପରେ ନୟାଗଡରେ ପଞ୍ଚାୟତ ନିର୍ବାଚନରେ ନିଲାମ ହେଲା ପଦ । ୬୨ ହଜାର ଟଙ୍କାରେ ୱାର୍ଡମେମ୍ବର ପଦ ନିଲାମ ଅଭିଯୋଗ

188

କନକ ବ୍ୟୁରୋ: ବଲାଙ୍ଗୀର ପରେ ନୟାଗଡ । ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ନେଇ ଚର୍ଚ୍ଚା ଥମିନଥିବା ବେଳେ ୱାର୍ଡ ସଭ୍ୟ ନିଲାମ ନେଇ ଖବର ଆସିଛି ନୟାଗଡ ଜିଲ୍ଲାରୁ । ଦଶପଲ୍ଲା ବ୍ଳକ ଡିହଗାଁ ପଞ୍ଚାୟତର ୨ଟି ୱାର୍ଡର ସଭ୍ୟ ନିଲାମ ହୋଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଏକଥାକୁ ଗ୍ରାମବାସୀ ଅସ୍ୱୀକାର କରିଥିବା ବେଳେ ଏହାର ତଦନ୍ତ କରିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ଭୋଟ୍ ନକରି ଗାଁରେ ୱାର୍ଡ ସଭ୍ୟ ବାଛିଲା ଗାଁ କମିଟି । ପୁଣି ନିଲାମ ହୋଇଛନ୍ତି ପ୍ରାର୍ଥୀ । ନୟାଗଡ ଦଶପଲ୍ଲା ବ୍ଳକ ଡିହଗାଁ ପଞ୍ଚାୟତରେ ୱାର୍ଡ ସଭ୍ୟ ନିଲାମ ହୋଇଥିବା ଅଭିଯୋଗ ହୋଇଛି । ୩ ନମ୍ବର ୱାର୍ଡ ଦଲକସାହି ଗାଁରେ ୱାର୍ଡ ମେମ୍ବର ପଦବୀ ୬୨ ହଜାର ଟଙ୍କାରେ ନିଲାମ ହୋଇଥିବା ବେଳେ ଭୋଟରଙ୍କ ଅଧିକାରକୁ ଛଡାଇ ନିଆଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଏ ନିଲାମୀ ପ୍ରକ୍ରିୟା ଆଜି କାଲିର ନୁହେଁ, ୩୦ ବର୍ଷ ହେଲାଣି, ଗାଁ କମିଟିରେ ଏଭଳି ନିଷ୍ପତ୍ତି ନିଆଯାଉଛି । ୱାର୍ଡ ମେମ୍ବର ପଦବୀକୁ ନିଲାମରେ ନେଉଥିବା ବ୍ୟକ୍ତି ଟଙ୍କା ଦେଇ ଭୋଟ କିଣୁଥିବାରୁ ଗରିବ ଲୋକଙ୍କ ସସସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି । ଦଲକସାହି ଗାଁ ଭଳି ୧୮ ନମ୍ବର ୱାର୍ଡ ଦିଗିରି ଗାଁରେ ୫୦ ହଜାରରୁ ଅଧିକ ଟଙ୍କାରେ ୱାର୍ଡ ମେମ୍ବର ପଦବୀ ନିଲାମ ହୋଇଥିବା ଚର୍ଚ୍ଚା ହେଉଛି । ୩୦ ହଜାର ୧ ଟଙ୍କାରୁ ନିଲାମ ଆରମ୍ଭ ହୋଇ ୫୧ ହଜାର ଟଙ୍କାରେ ଛିଡିଥିବା ଜଣାପଡିିଛି ।

୫ ଆଶାୟୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଭୋଟ ଦେବାକୁୁ ଗାଁ କମିଟିରେ ନିଷ୍ପତ୍ତି ହୋଇଛି । ତେବେ ଗ୍ରାମବାସୀ ନିଲାମୀ କଥା କହୁନଥିବା ବେଳେ ଗାଁ କମିଟିରେ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରିଥିବା କହିଛନ୍ତି । ଅନ୍ୟପଟେ ନୟାଗଡରେ ୱାର୍ଡମେମ୍ବର ପଦବୀ ନିଲାମ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ତେବେ ପଞ୍ଚାୟତ ନିର୍ବାଚନରେ ଏଭଳି ନିଷ୍ପତ୍ତି ଯୋଗୁଁ ଗାଁର ଏକତା ନାଁରେ ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ ହେଉଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ସମସ୍ୟା ଉପରେ ପ୍ରଶାସନ ଏବଂ ନିର୍ବାଚନ କମିଶନ ଦୃଷ୍ଟି ହେବାର ଆବଶ୍ୟକତା ରହିଛି ।