ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲା: ମାଷ୍ଟରମାଇଣ୍ଡ ବିଜେପି ନେତାଙ୍କ ପୁଅଙ୍କୁ ଗିରଫ ପରେ ରିସର୍ଟ ଉପରେ ଚାଲିଲା ବୁଲ ଡୋଜର

301

କନକ ବ୍ୟୁରୋ: ୧୯ ବର୍ଷୀୟ ରିସେପସନିଷ୍ଟ ଯୁବତୀଙ୍କ ହତ୍ୟା ଘଟଣାରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ଉତ୍ତରାଖଣ୍ଡ ସରକାର। ହତ୍ୟାରେ ସମ୍ପୃକ୍ତ ବିଜେପି ନେତା ତଥା ରିସର୍ଟ ମାଲିକଙ୍କ ପୁଅ ପୁଲକିତ ଆର୍ୟ୍ୟଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉତ୍ତରାଖଣ୍ଡର ରିସିକେଶରେ ଥିବା ପୁଲକିତଙ୍କ ରିସର୍ଟଙ୍କୁ ବୁଲ ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।

ଯୁବତୀଙ୍କ ହତ୍ୟାକାଣ୍ଡ ମାମଲାରେ ପୁଲକିତଙ୍କ ନାମ ଆସିବା ପରେ ରାଜ୍ୟ ସରକାର ତାଙ୍କ ରିସର୍ଟ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯୁବତୀଙ୍କ ହତ୍ୟା ପରେ ରାଜ୍ୟବ୍ୟାପି ଜୋରାଧାର ବିକ୍ଷୋଭ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାପୁଷ୍ଠାନ ନେବାକୁ ଦାବି ହୋଇଥିଲା। ଏହା ପରେ ପୁଲକିତଙ୍କୁ ଗିରଫ କରାଯିବା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ତାଙ୍କ ରିସର୍ଟ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଲହି ଘଟଣାରେ ୩ ଜଣ ଅଭିଯୁକ୍ତ ତଥା ଯମକେଶ୍ୱରରେ ଥିବା ରିସର୍ଟର ମାଲିକ ପୁଲକିତ ଆର୍ୟ୍ୟ, ମ୍ୟାନେଜର ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟର ହାଜର ପରେ ୧୪ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ସମ୍ପୃକ୍ତ ଯୁବତୀଙ୍କ ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଥିବା ସବୁ ରିସର୍ଟ ଗୁଡ଼ିକର ତଦନ୍ତ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅପରାଧ ପାଇଁ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ହେବା ଉଚିତ ବୋଲି ଧାମି କହିଛନ୍ତି।

ସୂଚନା ମୁତାବକ, ରିଷିକେଶରେ ପୁଲକିତଙ୍କର ଗୋଟିଏ ରିସର୍ଟ ରହିଛି। ଏହି ରିସର୍ଟରେ ରିସ୍ପେସନିଷ୍ଟ ଭାବେ କାମ କରୁଥିବା ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପୁଲକିତ ଓ ତାଙ୍କର ଦୁଇ ଜଣ ସହଯୋଗୀ ହତ୍ୟା କରି ନଦୀରେ ପିଙ୍ଗିଦେଇଥିଲେ ।