କନକ ବ୍ୟୁରୋ : ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ତେବେ ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ବିସିସିଆଇର ଗୋଟିଏ ବୟାନ ପିସିବି ଓ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ନିଦ ହଜାଇ ଦେଇଛି । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ବୟାନକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ବିସିସିଆଇକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ୨୦୨୩ରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପରେ ପାକିସ୍ତାନ ଗସ୍ତରେ ଯାଇ ଭାରତ ଖେଳିବନି ବୋଲି ଜୟ ଶାହା ସ୍ପଷ୍ଟ କରିବା ପରେ ପାକିସ୍ତାନରେ ଉଠିଛି ଝଡ । ବିସିସିଆଇ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ।

Advertisment

ଆଫ୍ରିଦି ଟ୍ୱିଟ୍ କରି ଲେଖିଛନ୍ତି ଗତ କିଛି ବର୍ଷ ହେବ ଭାରତ-ପାକିସ୍ତାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢି ଉଠିଛି । ଆଉ ଦିନ କେଇଟା ମଧ୍ୟରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଏଭଳି ସମୟରେ ଜୟ ଶାହାଙ୍କ ଏହି ବୟାନ ଠିକ୍ ନୁହେଁ । ଜୟ ଶାହାଙ୍କ ଏଭଳି ବୟାନ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଟି-୨୦ ବିଶ୍ୱକପ ପୂର୍ବରୁ ବିସିସିଆଇ ସଚିବ କାହିଁକି ଏଭଳି ବୟାନ ଦେବେ । ଏହା ଭାରତୀୟ କ୍ରିକେଟ ପ୍ରଶାସନର ଅନୁଭବହୀନତାକୁ ଦର୍ଶାଉଛି ।

ଅନ୍ୟପଟେ ଜୟ ଶାହାଙ୍କ ବୟାନକୁ ନେଇ ପାକିସ୍ତାନ ମଧ୍ୟ ଯେସାକୁ ତେସା ନୀତି ଆପଣାଇପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ କ୍ୟାମ୍ପ ଜୟ ଶାହାଙ୍କ ଏହି ବୟାନ ପରେ କଡା ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି । ଏପରିକି ୨୦୨୩ରେ ଭାରତରେ ହେବାକୁ ଥିବା ଆସନ୍ତା ଦିନିକିଆ ବିଶ୍ୱକପରୁ ପାକିସ୍ତାନ ହଟିଯିବାକୁ ଧମକ ଦେଇଛି । ଯଦି ଏପରି ହୁଏ ତେବେ ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେବେ କ୍ରିକେଟପ୍ରେମୀ ।

ସେହିଭଳି ଏସିଆ କପ ଏକ ନିରପେକ୍ଷ ସ୍ଥାନରେ ହେଉ ବୋଲି ଜୟ ଶାହା ଦେଇଥିବା ମନ୍ତବ୍ୟ ଉପରେ ପାକିସ୍ତାନର ପୂର୍ବତନ କ୍ରିକେଟର ସଇଦ ଅନୱର କହିଛନ୍ତି, ଯେତେବେଳେ ପାକିସ୍ତାନକୁ ବିଶ୍ୱର ଅନ୍ୟ ଦଳ ଓ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଆସୁଛନ୍ତି ସେତେବେଳେ ବିସିସିଆଇ ସମସ୍ୟା ରହୁଛି କାହିଁକି?ଯଦି ବିସିସିଆଇ ନିରପେକ୍ଷ ଭେନ୍ୟୁ ଚାହୁଁଛି ତେବେ ପାକିସ୍ତାନ ମଧ୍ୟ ଚାହୁଁଛି ଯେ, ଦିନିକିଆ ବିଶ୍ୱକପ ମଧ୍ୟ ଏକ ନିରପେକ୍ଷ ଭେନ୍ୟୁରେ ହେଉ । ଯାହା ଆଗାମୀ ବର୍ଷ ଭାରତରେ ହେବାକୁ ଯାଉଛି ।
ଗତ ଏସିଆ କପ୍ ୟୁଏଇରେ ଆୟୋଜିତ ହୋଇଥିଲା । ଶ୍ରୀଲଙ୍କାରେ ସ୍ଥିତି ସୁଧିରି ନଥିବାରୁ ଏହି ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ୍ ୟୁଏଇରେ ହୋଇଥିଲା । ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଚାମ୍ପିୟନ ହୋଇଥିଲା ଶ୍ରୀଲଙ୍କା । ଏସବୁ ଭିତରେ ଆସନ୍ତା ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପରେ ହେବାକୁ ଯାଉଛି ମହାମୁକାବିଲା । ଯାହା ଉପରେ ପୂରା ବିଶ୍ୱବାସୀଙ୍କ ନଜର ରହିଛି । ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ପରାଜିତ ହୋଇଥିଲା । ତେଣୁ ଚଳିତ ବିଶ୍ୱକପରେ ଏହାର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ପାଖରେ ସୁଯୋଗ ରହିଛି । ଅଭ୍ୟାସ ମ୍ୟାଚରେ ଭାରତର ବ୍ୟାଟର ଓ ବୋଲର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ତେଣୁ ଏହାର ପୁନରାବୃତ୍ତି ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧିଛନ୍ତି ।