ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଂଟା ଭିଡିଲେ ପୂର୍ବ ଉପରାଷ୍ଟ୍ରପତି : କହିଲେ ରାଷ୍ଟ୍ରପତି ଦେଶ ଛାଡି ଥିବାରୁ ସେ ହିଁ ରାଷ୍ଟ୍ରପତି

335

କନକ ବ୍ୟୁରୋ : ଆଫଗାନିସ୍ତାନରେ କିପରି ତାଲିବାନ ସରକାର ଗଢ଼ିବ ଏ ନେଇ ଯୋଜନା କରୁଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଂଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ । ତାଲିବାନ ବିରୋଧରେ କଡ଼ା ସ୍ୱର ଉଠାଇବା ସହ ନିଜକୁ ସେ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି ଅମରୁଲ୍ଲା ।

ଏନେଇ ସେ ନିଜ ଟୁଇଟରରେ ଲେଖିଛନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ପରି ଘଟଣା ବେଳେ ଉପରାଷ୍ଟ୍ରପତି ଦେଶ ଶାସନ ଭାର ନିଜ ହାତକୁ ନେବା କଥା, ଆଉ ଏହି ଆଧାରରେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ବୋଲି କହିଛନ୍ତି ଅମରୁଲ୍ଲା । କେବଳ ଏତିକି ନୁହେଁ, ତାଲିବାନୀ ବିରୋଧୀ ଶକ୍ତିକୁ ଏକାଠି ହେବାକୁ ସେ ଅପିଲ କରିଛନ୍ତି । ଅମରୁଲ୍ଲା କହିଛନ୍ତି, ସେ କେବେ ବି ତାଲିବାନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ।