ଆଫଗାନିସ୍ତାନରେ ଦ୍ୱିତୀୟ ବଡ଼ ସହର କାନ୍ଦାହାରକୁ ଅକ୍ତିଆର କଲା ତାଲିବାନ । ଜୀବନ ବଞ୍ଚାଇବା ପାଇଁ ଆକାଶ ମାର୍ଗରେ ପଳାଇଲେ ଅଫିସର ।

262

କନକ ବ୍ୟୁରୋ: ଆଫଗାନିସ୍ତାନରେ ଜାରି ରହିଛି ତାଲିବାନ ଆତଙ୍କ । ଦେଶର ଦ୍ୱିତୀୟ ବୃହତ୍ତମ ସହର କାନ୍ଦହାରକୁ ନିଜ କବଳକୁ ନେଇଛି ତାଲିବାନ । କେବଳ ସେତିକି ନୁହେଁ ହୈରାତ ଓ ଲସ୍କର ଗାହ ଭଳି ଅନ୍ୟ ପ୍ରମୁଖ ସହରକୁ ମଧ୍ୟ କବଳିତ କରିଛି । ଆଉ ଏବେ ଦ୍ରୁତ ଗତିରେ ରାଜଧାନୀ କାବୁଲ ଆଡକୁ ମାଡି ଚାଲିଛି ତାଲିବାନ । କାବୁଲଠାରୁ କିଛି ଦୂରରେ ଅବସ୍ଥିତ ଗଜନି ସହରକୁ ନିଜ କବଜାକୁ ନେଇଛି । ହେରାତରେ ଥିବା ପୁଲିସ ହେର୍ଡକ୍ୱାର୍ଟରକୁ ମଧ୍ୟ ଦଖଲ କରିଛି ତାଲିବାନ । ଆଫଗାନିସ୍ତାନର ଆମେରିକା ନିଜ ସେନା ପ୍ରତ୍ୟାହାର କରିବା ପରେ ତାଲିବାନର ପାର୍ଦୁଭାବ ବଢି ବଢି ଚାଲିଛି । ଲୋକମାନେ ଘର ଦ୍ୱାର ଛାଡି ଅନ୍ୟତ୍ର ପଳାଉଛନ୍ତି । ଅନେକ ଲୋକ ପଡୋଶୀ ଦେଶ ଗୁଡିକରେ ଶରଣ ନେଉଛନ୍ତି ।

ତାଲିବାନର ଆତଙ୍କ ଦେଖି ଲାଗୁଛି ଖୁବଶୀଘ୍ର କାବୁଲର ପତନ ସୁନିଶ୍ଚିତ । ଏହି ଆଶଙ୍କାରେ ଆଫଗାନ ସରକାର ଯୁଦ୍ଧ ବିରତି ପାଇଁ ତାଲିବାନୁ ଦେଇଛନ୍ତି ପ୍ରସ୍ତାବ । ଯୁଦ୍ଧ ବିରତି ପାଇଁ କ୍ଷମତା ଆବଣ୍ଟନ ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଏହି କ୍ଷମତା ଆବଣ୍ଟଟନର ରୂପରେଖ ସମ୍ପର୍କରେ କୌଣସି ବିବରଣୀ ମିଳିପାରି ନାହିଁ । ଆଫଗାନ ସରକାରଙ୍କ ପ୍ରତିନିଧି ଅବଦୁଲା କାତାର ରାଜଧାନୀ ଦୋହାରେ ରହି ଶାନ୍ତି କଥାବାର୍ତ୍ତା ଚଳାଇଛନ୍ତି । ସେ ମଧ୍ୟ ଆମେରିକା, ଚୀନ ଋଷିଆ ଓ କେତେକ ଏସୀୟ ଦେଶ ସହ ଆଲୋଚନା ଜାରି ରଖିଛନ୍ତିି । ସେପଟେ ଆମେରିକା ଓ ବ୍ରିଟେନ ଆଫଗାନିସ୍ତାନରେ ଥିବା ନିଜ ଦୂତବାସ କାର୍ଯ୍ୟାଳୟ ଏବଂ ସେଠାରେ ଥିବା ନିଜ ଲୋକଙ୍କୁ ନେବା ପାଇଁ ସାଢେ ୩ ହଜାର ଯବାନଙ୍କୁ ପଠାଯାଇଛି ।

ଆମରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ତାଲିବାନ ସହ ଲଢେଇ ଭିତରେ ଆମେରିକା ବହୁ ଅର୍ଥ ବ୍ୟୟ କରିବା ସହ ଅନେକ ଯବାନଙ୍କୁ ହରାଇଛି । ଏବେ ସମୟ ଆସିଛି ଆଫଗାନିସ୍ତାନର ସବୁ ନେତା ଏକତ୍ରିତ ହୋଇ ତାଲିବାନ ବିରୋଧରେ ଲଢିବା ପାଇଁ । ତାଲିବାନ ଆତଙ୍କ ଦେଖି ତା ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ଆଫଗାନ୍ର ସରକାରୀ କର୍ମଚାରୀ । ମିଳିଥିବା ସୂଚନା ଅନୁସାରେ ସମସ୍ତ ସରକାରୀ କର୍ମଚାରୀ, ଗଭର୍ଣ୍ଣର, ପୋଲିସ ଚିଫ, ପୂର୍ବତନ ମୁଜାହିଦ୍ଦିନ ଲିଡର ମହମ୍ମଦ ଇସମାଇଲ ଖାନ୍, ଏବଂ ୨୦୭ ଜାଫର କମାଣ୍ଡର କର୍ପସ୍ ତାଲିବାନ ପାଖରେ ସରେଣ୍ଡର କରିଛନ୍ତି । ଲାଗୁଛି ଖୁବଶୀଘ୍ର ତାଲିବାନ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ କବଜା କରିନେବ ।