ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ, ଖାଦ୍ୟ ଅଭାବରୁ ଚଳିତ ବର୍ଷ ଶେଷ ସୁଦ୍ଧା ଆଫଗାନିସ୍ତାନରେ ୧୦ ଲକ୍ଷ ଶିଶୁଙ୍କର ହୋଇପାରେ ମୃତ୍ୟୁ

114

କନକ ବ୍ୟୁରୋ : ଆମେ ମଣିଷଜାତି ଏବେ ୨୦୦୦ ଶତାବ୍ଦିରେ ବଞ୍ଚୁଛୁ । ପଥରକୁ ପଥରରେ ଘଷି ନିଆଁ ବାହାର କରିବା ଠାରୁ ଆଜି ପ୍ରାକୃତିକ ଗ୍ୟାସକୁ ବ୍ୟବହାର କରି ରୋଷେଇ କରିବା ପର୍ଯ୍ୟନ୍ତ ବିକାଶ ଆମକୁ ବିଜ୍ଞାନ ପ୍ରଦାନ କରିଛି । ହାତୀର ମୁଣ୍ଡକାଟି ଅଗ୍ରପୂଜ୍ୟ ଗଣେଷଙ୍କ ଠାରେ ଯୋଡିବା ଠାରୁ ଆଜି କୁତ୍ରିମ ମାନବ ସୃଷ୍ଟି ପର୍ଯ୍ୟନ୍ତ ବିଶ୍ୱର ବିକାଶ ହୋଇଛି । ଏତେ ବିକାଶ ଓ ଏତେ ପରିବର୍ତ୍ତନ ପରେ ବି ମଣିଷ ଜାତି ଧର୍ମର ମାୟା ବନ୍ଧନରୁ ମୁକ୍ତ ପାଇପାରିନାହିଁ । କ୍ଷମତା ଲୋଭରେ କିଛି ଶିକ୍ଷିତ ଲୋକ ସେମାନଙ୍କ ଧାର୍ମିକ ଦୋକାନ ଚଳାଇ ରଖିବାକୁ ଲୋକଙ୍କ ମୁଣ୍ଡରେ ଭୟାନକ କୁଶିକ୍ଷା ଭରିଦେବାରେ ସକ୍ଷମ ହୋଇଛନ୍ତି । ଯାହାର ଭୟାବହତା ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ପରେ ଜଣାପଡିଛି ।

ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ସେଠାରେ ସରକାର ଗଠନ କରିଛି । ହେଲେ ତାଲିବାନ ସରକାରରେ ଆଫଗାନବାସୀଙ୍କ ପାଇଁ ଯେଉଁ ସଂକଟ ତିଆରି ହୋଇଛି ତାହା ଆପଣଙ୍କୁ ଚକିତ କରିଦେବ । ଆଫଗାନରେ ଏଭଳି ସଂକଟ ଦେଖା ଦେଇଛି କି ଯେଉଁ ସଂକଟ ସେଠିକାର ଲୋକଙ୍କ ପାଇଁ ପ୍ରତିଟି ବିକାଶର ପ୍ରତିବନ୍ଧକ ସାଜିବ । ମଣିଷ ପଢିବ ଓ ବଢିବ ଏହା ପଛରେ ପ୍ରଥମ ଆବଶ୍ୟକତା ହେଉଛି ଖାଦ୍ୟ । ଖାଦ୍ୟ ସଂକଟ ହେଲେ ନା ଧର୍ମ ବଞ୍ଚିବ ନା ଶାସକ ଏକଥା ସମସ୍ତଙ୍କୁ ଜଣା । ବାସ୍ ଏବେ ଆଫଗାନରେ ସେହି ଖାଦ୍ୟର ଘୋର ସଂକଟ ଦେଖିବାକୁ ମିଳିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି କି ଯଦି ଆଫଗାନ ନାଗରିକଙ୍କୁ ବିଦେଶରୁ ସହାୟତା ନମିଳିବ ତେବେ ଆଫଗାନରେ ଏତେ ଖାଦ୍ୟ ସଂକଟ ଦେଖାଯିବ ଯେ ଚଳିତ ବର୍ଷ ଶେଷ ସୁଦ୍ଧାର ଏହାର ପ୍ରଭାବରେ ଦେଶରେ ୧୦ ଲକ୍ଷରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇପାରେ । କେବଳ ସେତିକି ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ମୁତାବକ ଚଳିତ ବର୍ଷ ଶେଷ ସୁଦ୍ଧା ଆଫଗାନର ଖାଦ୍ୟ ସଂକଟ କାରଣରୁ ୩୨ ଲକ୍ଷ ଶିଶୁ କୁପୋଷଣରେ ଶିକାର ହୋଇପାରନ୍ତି ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଫଗାନିସ୍ତାନର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବି ଚେତାବନୀ ଦେଇଛି । ଆଫଗାନରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଦରମା ନମିଳିବାରୁ ଏବେ ସେଠାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି । ରୟଟର୍ସର ସମ୍ବାଦଦାତା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରବକ୍ତା ମାଗ୍ରେଟ ହେରିସଙ୍କୁ ଦେଇଥିବା ସୂଚନା ମୁତାବକ ହେରିସ୍ କହିଛନ୍ତି କି ଆଫଗାନରେ ଶିଶୁମାନଙ୍କୁ ମୀଜଲ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଚି । ଏବେ ପର୍ଯ୍ୟନ୍ତ ୨୪ ହଜାର ମାମଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଳିଛି । ତେଣୁ ଏମାନଙ୍କ ଚିକିତ୍ସା କିଭଳି ହୋଇପାରିବ ବୋଲି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।