ସାମ୍ବାଦିକାଙ୍କୁ ଷ୍ଟୁଡିଓ ଭିତରକୁ ପୁରାଇ ଦେଲେନି ତାଲିବାନୀ । ଜୀବନ ପ୍ରତି ବିପଦ ଥିବା କହିଲେ ଶବନମ । ସେପଟେ ଜୀବନ ବିକଳରେ ଆମେରିକା ବିମାନ ଚକାକୁ ଧରି ଗଲାବେଳେ ଖସିପଡ଼ିଲେ ଫୁଟବଲ ଖେଳାଳି ଜ୍ୟାକି ଅନୱାରି ।

292

କନକ ବ୍ୟୁରୋ : କାବୁଲର ଭୟାବହ ସ୍ଥିତି ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତି ଥରା ଦୃଶ୍ୟ । ନିଜ ଜୀବନର ଭରସା ନଥିବା ବେଳେ ପିଲାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବାପା ମାଆ । କେତେବେଳେ କ’ଣ ହେବ, କିଏ ତାଲିବାନୀଙ୍କ ହାବୁଡରେ ପଡିଯିବେ କିଛି ଜଣାନାହିଁ । ନିଜ ଜୀବନ ପଛେ ଚାଲିଯାଉ, ହେଲେ ପିଲାର ଜୀବନ ସୁରକ୍ଷିତ ରହୁ । ଅନ୍ୟପଟେ ଦିନ ଗଡିବା ସହ ତାଲିବାନିଙ୍କ ଅସଲ ଚେହେରା ପଦାକୁ ଆସିବାରେ ଲାଗିଛି ।

ଯେତେବେଳେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲେ, ସେତେବେଳେ ଏମିତି କରିବାକୁ ବାଧ୍ୟହୁଏ ଅସହାୟ ମଣିଷ । ନିଜ ହାତରେ ନିଜର କଅଁଳ ଶିଶୁଙ୍କୁ ଅନ୍ୟ ହାତକୁ ଟେକି ଦିଏ । ନିଜେ ବଞ୍ଚିବା ନେଇ ଆଶଙ୍କା ରହିଥିବା ବେଳେ କୌଣସି ମତେ ସେମାନଙ୍କ ପିଲା ବଞ୍ଚିଯାଆନ୍ତୁ ବୋଲି ଭାବି ନିଏ । ଠିକ୍ ସେହିଭଳି ଭୟ ଓ ଆତଙ୍କ ଭିତରେ ଥିବା ଆଫଗାନିମାନେ ନିଜ ପିଲାଙ୍କୁ ଆମେରିକୀୟ ସୈନ୍ୟଙ୍କ ହାତକୁ ଟେକି ଦେଇଛନ୍ତି । ଏହି ଦୃଶ୍ୟ ସାରାବିଶ୍ୱର ଛାତିକୁ ଦୋହଲାଇ ଦେଇଛି । ଏବଂ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି ।

ବିରୋଧୀଙ୍କୁ ଖୋଜୁଛନ୍ତି ବନ୍ଧୁକଧାରୀ ତାଲିବାନୀ । ଭୟରେ ଲୁଚିଛନ୍ତି ଆମେରିକାକୁ ସହାୟତା କରିଥିବା ପୂର୍ବ ସୈନିକ । ଆଫଗାନିସ୍ତାନରେ କେମିତି ତାଲିବାନୀମାନେ ଆତଙ୍କ ଚଳାଇଛନ୍ତି, ସେସବୁର ଗୋଟିଏ ଗୋଟିଏ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭିଡ଼ିଓରେ ହିଂସା ଓ ଆତଙ୍କର ସବୁ ସୀମା ଟପିଯାଇଛନ୍ତି ତାଲିବାନୀ । ଗୋଟିଏ ପଟେ ତାଲିବାନୀ ସୈନିକଙ୍କ ଅନ୍ଧାଧୁନ୍ ଗୁଳିମାଡ଼ ଅନ୍ୟ ପଟେ ଜୀବନ ବଞ୍ଚାଇବାକୁ ଆଫଗାନବାସୀ ପ୍ରୟାସ ଚଳାଇଛନ୍ତି । ଭିଡ଼ିଓରେ ପୁରୁଷ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଏପରିକି ତାଲିବାନୀମାନେ ସେମାନଙ୍କ ବିରୋଧୀ ଓ ପୂର୍ବତନ ସୈନିକମାନଙ୍କୁ ଖୋଜୁଛନ୍ତି । ଆଉ ପାଇଲା ମାତ୍ରେ ଗୁଳି କରୁଛନ୍ତି ।

ତାଲିବାନୀଙ୍କ କଥା ଓ କାର୍ଯ୍ୟରେ ନାହିଁ ତାଳମେଳ । ମହିଳାଙ୍କୁ ନେଇ ମିଛ କହୁଛନ୍ତି ତାଲିବାନୀ ? ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନୀମାନେ ସେମାନଙ୍କ ଆଭିମୁଖ୍ୟ ବଦଳିଛି ବୋଲି ଯେତେ ସଫେଇ ଦେଲେ ବି ସନ୍ଦେହ ବଢ଼ିବାରେ ଲାଗିଛି । ଏହି ସନ୍ଦେହ ସେତିକିବେଳେ ବଢ଼ିଛି, ଯେତେବେଳେ ମହିଳା ନ୍ୟୁଜ୍ ଆଙ୍କରଙ୍କ ସହ ତାଲିବାନୀ ମୁଖପାତ୍ର ଟିଭିରେ ବସି ସାକ୍ଷାତକାର ଦେବାର ମାତ୍ର ତିନି ଦିନ ପରେ ଅନ୍ୟ ମହିଳା ଆଙ୍କରଙ୍କୁ କାର୍ଯ୍ୟ କରିବାରୁ ବାରଣ କରିଛନ୍ତି । ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ମହିଳା ଆଙ୍କର ଶବନମ ଡାବରନ୍ ।

ସେ କହିଛନ୍ତି ବ୍ୟବସ୍ଥା ବଦଳିବା ପରେ ସେ ପଛଘୁଂଚା ନଦେଇ ତାକୁ ନେଇ ଚଳିବାକୁ ଚେଷ୍ଟା କରିଥିଲେ । ହେଲେ ଦୁଃର୍ଭାଗ୍ୟର କଥା ଅଫିସ କାର୍ଡ ଦେଖାଇବା ପରେ ମଧ୍ୟ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ମିଳିନଥିଲା । କାହିଁକି ନା ତାଙ୍କୁ ତାଲିବାନ ପକ୍ଷରୁ ନ୍ୟୁଜ ପଢ଼ିବାକୁ ବାରଣ କରାଯାଇଛି । କେବଳ ପୁରୁଷ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିୟମ ହୋଇଛି ବୋଲି ଅଫିସ ପକ୍ଷରୁ କୁହାଯାଇଛି ।

ତାଲିବାନୀମାନେ କାବୁଲକୁ କବଜା କରିବା ପରେ ଅନ୍ୟମାନଙ୍କ ପରି ଦେଶ ବାହାରକୁ ଚାଲିଯିବା ପାଇଁ ଉଦ୍ୟମ କରିଥିଲେ । ଆଫଗାନର ୧୯ ବର୍ଷରୁ କମ୍ ଜାତୀୟ ଫୁଟବଲ ଦଳର ଖେଳାଳି ଜ୍ୟାକି ଅନୱାରୀ । ଚକାକୁ ଭରସା କରି ବିମାନରେ ଓହଳି ପଡିଥିଲେ ଜ୍ୟାକି । ହେଲେ ବିମାନଟି ଉପରକୁ ଉଠିବା ପରେ ତଳକୁ ଖସିପଡିଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏସବୁ ଦୃଶ୍ୟ କହୁଛି ଏକ ଭୟଭୀତ ଦେଶର ଜନତା ଜୀବନ ବଂଚାଇବା ପାଇଁ କେମିତି ଉଦ୍ୟମ କରୁଛନ୍ତି । ହେଲେ ଏକ ଅନିଶ୍ଚିତ ଭବିଷ୍ୟତ ଆଉ ଅସହାୟ ମଣିଷମାନେ ଜାଣି ନାହାଁନ୍ତି ଆଗକୁ ତାଙ୍କ ଭାଗ୍ୟରେ କଣ ଅଛି ।