କନକ ବ୍ୟୁରୋ : ଉପକୂଳର ସୁରକ୍ଷା କବଚ ଲୁଣା ଜଙ୍ଗଲ । ପ୍ରତିବର୍ଷ ଉପକୂଳବର୍ତୀ ଅଞ୍ଚଳକୁ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେଉଛି ଲୁଣା ଜଙ୍ଗଲ । ପୂର୍ବରୁ ଲୋକେ ଏହାର ଆବଶ୍ୟକତାକୁ ନବୁଝି କାଟି ସଫା କରି ଦେଉଥିଲେ । ମାତ୍ର ବାତ୍ୟା ୟାସ ପରେ ଲୁଣା ଜଙ୍ଗଲର ଉପକାରିତାକୁ ଭଲ ଭାବେ ବୁଝିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଲୋକେ । ଏଇ ଲୁଣା ଜଙ୍ଗଲ ଯୋଗୁଁ ବାତ୍ୟା ୟାସ ସମୟରେ ରାଜନଗର ଅଞ୍ଚଳରେ ଆଶଙ୍କା ଠାରୁ କମ୍ କ୍ଷୟକ୍ଷତି ହୋଇଥିବା ନେଇ ଜାଣିବା ପରେ ଲୁଣା ଜଙ୍ଗଲ ସୃଷ୍ଟି ଉଦେଶ୍ୟରେ ନିଜର ସମ୍ପତି ଦାନ କରୁଛନ୍ତି ରାଜନଗର ଅଞ୍ଚଳର ଲୋକେ ।

Advertisment

ପରିବେଶ ସୁରକ୍ଷା ପାଇଁ ଭିତରକନିକାବାସୀ ଦେଲେ ଭଲ ବାର୍ତ୍ତା । ଉପକୂଳର ସୁରକ୍ଷା କବଚ ସାଜିଥିବା ଲୁଣାଜଙ୍ଗଲର ସୁରକ୍ଷା ଓ ନୂତନ ଲୁଣାଜଙ୍ଗଲ ସୃଷ୍ଟି ପାଇଁ ଆଗେଇ ଆସିଛନ୍ତି ଲୋକେ । ଭିତରକନିକା ଲୁଣାଜଙ୍ଗଲ ପରିସୀମା ବଢାଇବା ପାଇଁ ୩୦ ଲକ୍ଷ ଟଙ୍କାର ପୈତୃକ ଜମି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ଓ ଉପକୂଳର ସୁରକ୍ଷା ପାଇଁ ମ୍ୟାନ୍-ଗ୍ରୁଭ-ମିତ୍ର କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ସାମିଲ ହେବାକୁ ଡିଏଫଓ ନିବେଦନ କରିଛନ୍ତି । ଏବଂ ନିଜ ଅଞ୍ଚଳ ପାଇଁ ଲୁଣା ଜଙ୍ଗଲର ଆବଶ୍ୟକତାକୁ ହୃଦୟଙ୍ଗମ କରି ଲୋକେ ଜମି ଦେଇଥିବା ବେଳେ ରୋପଣ କରାଯାଇଛି ରେରାଇ, ସିନ୍ଦୁକା, ଶିଶୁମର, ଗରାଣୀ ହେନ୍ତାଳ ପ୍ରଭୃତି ଲୁଣାଜଙ୍ଗଲ ଚାରା ।

ଓଡିଶାରେ ମୋଟ ୨୧୩ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ରହିଛି । ଭିତରକନିକାରେ ରହିଛି ୧୮୩ ବର୍ଗ କିଲୋମିଟର ଲୁଣା ଜଙ୍ଗଲ । ଭାରତ ସରକାରଙ୍କ ବନ ସର୍ବେକ୍ଷଣ ସଂସ୍ଥାର ୨୦୧୩ ରିପୋର୍ଟରୁ ଏହି ତଥ୍ୟ ଜଣାଯାଏ । ତେବେ ବର୍ତମାନ ଲୁଣା ଜଙ୍ଗଲର ସୁରକ୍ଷା ଓ ନୂତନ ଲୁଣାଜଙ୍ଗଲ ସୃଷ୍ଟି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଭିତରକନିକାର ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ବିଶାଳ, ଦୀର୍ଘ ଲୁଣାଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଅବୈତନିକ ବନଖଣ୍ଡ ତତ୍ୱାବଧାରକ ସୂର୍ଯ୍ୟ ନାରାୟଣ ଲେଙ୍କା ଓ ରାଜନଗର ବିଧାୟକ କହିଛନ୍ତି । ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳକୁ ସୁରକ୍ଷା ଦେଉଥିବା ଲୁଣାଜଙ୍ଗଲର ସୁୁରକ୍ଷା ଓ ପରିସୀମା ବଢାଇବା ପାଇଁ ପଣ କରିଛନ୍ତି ରାଜନଗରବାସୀ ।