ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଦିବାସୀଙ୍କ ରଣହୁଙ୍କାର। ଅସ୍ତ୍ର ଧରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗିରଫ ଦାବି।

68

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ଅଫିସର ଆଗରେ ଆଦିବାସୀଙ୍କ ରଣହୁଙ୍କାର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ ମହାସଙ୍ଘ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି ହେଲେ ଆଦିବାସୀ । ଆଉ ଆଦିବାସୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ବଲାଙ୍ଗୀର ରାଜରାସ୍ତାରେ ଶତାଧିକ ଆଦିବାସୀ ଆନ୍ଦୋଳନ ଦେଖିବାକୁ ମିଳିଛି । ଆଉ ଏହି ଆନ୍ଦୋଳନ ଓ ରାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗିରଫ ଦାବିରେ ହୋଇଛି ।

ଆଦିବାସୀ ମହାସଂଘର ଅଭିଯୋଗ ଅନୁସାରେ, ବଲାଙ୍ଗୀର ପୌର ପରିଷଦରେ କାର୍ଯ୍ୟରତ ଏସିଏସଓ ପୁଷ୍ପଲତା ଦାସଙ୍କୁ, ଜିଲ୍ଲା ଯୋଗାଣ ଅଧିକାରୀ ମିରରାଜା ଅଲ୍ଲି, ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି । ଏନେଇ ପୁଷ୍ପଲତା ଜିଲ୍ଲା ପ୍ରଶାସନ ଓ ପୁଲିସ ପାଖରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ କରିଛି, କିନ୍ତୁ ଆଜି ଯାଏଁ ଯୋଗାଣ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତେଣୁ ଆଜି ରାସ୍ତାକୁ ଓହ୍ଲାଇଛି ଆଦିବାସୀ ମହାସଙ୍ଘ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଶହଶହ ଅଦିବାରୀ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ଆନ୍ଦୋଳନରେ ସାମିଲ ହୋଇ ପ୍ରଶାସନ ପକ୍ଷରୁ ଅବହେଳା ହୋଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଖସି ଯିବା ପାଇଁ ପୁଲିସ ବାଟ ଦେଇଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।