କୋଭିଡ କଟକଣାରେ ଆରମ୍ଭ ହେଲା ଆଦିବାସୀ ମେଳା । ଭର୍ଚୁଆଲରେ ବି ଦେଖିପାରିବେ ମେଳା । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ ?

139

କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ । ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଭୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ରୟର ବ୍ୟବସ୍ଥା କରାଯାଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । କେବଳ ୯୦ଟି ଷ୍ଟଲ ମାଧ୍ୟମରେ ବିକ୍ରିବଟାର ସୁବିଧା କରାଯାଇଛି । ଏହି ମେଳାକୁ ଭର୍ଚୁଆଲ ମୋଡରେ ମଧ୍ୟ ଖୋଲାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ଭିଡରୁ ରକ୍ଷା ପାଇବା ପାଇଁ ଦର୍ଶକମାନେ ୱେବସାଇଟ www.adivasimela2021.com ରେ ପଞ୍ଜିକରଣ କରୁଛନ୍ତି । ଏହା ମାଧ୍ୟମରେ ଦର୍ଶକମାନେ ଜନଜାତିଙ୍କ ସହ ସାଂସ୍କୃତିକ ଆଳାପ. ଜ୍ଞାନ ଆଦାନ ପ୍ରଦାନ, ଜନଜାତି କଳା, ସ୍ଥାପତ୍ୟ, ରନ୍ଧନକଳା ଇତ୍ୟାଦି ଜିନିଷ ଦେଖିପାରିବେ । କୋଭିଡ କଟକଣା ଯୋଗୁଁ ସାମଗ୍ରୀର ଇ-ମାର୍କେଟିଂର ସୁବିଧା ମଧ୍ୟ କରାଯାଇଛି । ଆଗ୍ରହୀ ଗ୍ରାହକ ଘରେ ବସି ସାମଗ୍ରୀ ବରାଦ ଦେଇପାରିବେ ।

ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରାଯିବାକୁ କୁହାଯାଇଛି । ଏହାସହ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।