କନକ ବ୍ୟୁରୋ : ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ପାଇଁ ପୁଣି ଥରେ ଅଡୁଆ ବଢିଛି । ଭାରତୀୟ ସେୟାର ବଜାରର ରେଗୁଲେଟର ସେବି ତରଫରୁ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଆଦାନୀ ଗ୍ରୁପ ବିରୋଧରେ ଯାଂଚ ଆରମ୍ଭ କରିଦେଇଛି । ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ଆମେରିକାର ଯାଂଚ ଏଜେନ୍ସି ଯାଂଚ ମଧ୍ୟ ଆରମ୍ଭ କରିଛି । ଆମେରିକୀୟ ଯାଂଚ ଏଜେନ୍ସି ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଆଦାନୀ ଗ୍ରୁପରେ ନିବେଶ କରିଥିବା ଆମେରିକୀୟ ନିବେଶକମାନଙ୍କୁ କ’ଣ ତଥ୍ୟ ପ୍ରଦାନ କରିଛି । କହିରଖୁ କି ହିଣ୍ଡେନବର୍ଗ ରିପୋର୍ଟରେ ଅଭିଯୋଗ ହୋଇଥିଲା କି ଆଦାନୀ ଗ୍ରୁପ ବିଦେଶୀ କମ୍ପାନୀଙ୍କ ଜରିଆରେ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ହେରଫେର କରୁଛି ।

Advertisment

ବ୍ଲୁମବର୍ଗ ରିପୋର୍ଟ ମୁତାବକ ନ୍ୟୁୟର୍କ ବ୍ରୁକଲିନରେ ଥିବା ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ତରଫରୁ ଆଦାନୀ ଗ୍ରୁପ ସେୟାରରେ ବିପୁଳ ନିବେଶ କରିଥିବା ସଂସ୍ଥାଗତ ନିବେଶକଙ୍କଠାରୁ ସୂଚନା ମାଗିଛି । ଏହି ସୂଚନାରେ ନିବେଶକଙ୍କୁ ପଚରାଯାଇଛି କି, ଆଦାନୀ ଗ୍ରୁପ ନିବେଶକମାନଙ୍କୁ ଏହି ଖୁଲାସାରେ କଣ ସୂଚନା ଦେଇଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ମଧ୍ୟ ସମାନ ଢଙ୍ଗରେ ତଦନ୍ତ କରୁଛନ୍ତି । ହେଲେ ଏହି ତଦନ୍ତର ଅର୍ଥ ନୁହେଁ କି କୌଣସି ପ୍ରକାର ସିଭିଲ କିମ୍ବା ଫୌଜଦାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନେକ ସମୟରେ ଆଇନ ପ୍ରଣୟନକାରୀ ସଂସ୍ଥା କେବଳ ସେମାନଙ୍କ ତରଫରୁ ତଦନ୍ତ କରିଥାନ୍ତି । ଯେଉଁଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ । ଏହି ଖବର ପ୍ରକାଶ ପାଇବା ପରେ ହିଣ୍ଡେନବର୍ଗ ରିସର୍ଚ୍ଚର ନାଟେ ଆଣ୍ଡରସନ ଟ୍ୱିଟ୍ କରି କହିଛନ୍ତି କି, ଉଭୟ ଆମେରିକୀୟ ଏଜେନ୍ସି ଆଦାନୀ ଗ୍ରୁପ ନିବେଶକଙ୍କ ଖୁଲାସାର ତଦନ୍ତ କରୁଛନ୍ତି ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଅଦାନୀ ଗ୍ରୁପର ସେୟାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଆଦାନି ଏଣ୍ଟରପ୍ରାଇଜେସର ସେୟାର ୭.୨୦ ପ୍ରତିଶତ ବା ୧୭୫ ଟଙ୍କା ହ୍ରାସ ପାଇ ୨୨୨୪ ଟଙ୍କାରେ କାରବାର କରୁଛି । ଆଦାନୀ ଟ୍ରାନ୍ସମିଶନ ୫.୩୧ ପ୍ରତିଶତ ହ୍ରାସ ପାଇଛି । ଆଦାନୀ ପୋର୍ଟସ୍ ୩.୯୨ ପ୍ରତିଶତ, ଆଦାନୀ ପାୱାର ୪.୧୯ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଆଦାନୀ ଟୋଟାଲ ଗ୍ୟାସ ୩ ପ୍ରତିଶତ ହ୍ରାସ ପାଇଛି । ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପ ୫୨ ହଜାର କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି ।