ଖସି ଚାଲିଛି ଆଦାନୀ ଗ୍ରୁପର ସେୟାର ମୂଲ୍ୟ: ସଙ୍କଟରୁ ବର୍ତ୍ତିବାକୁ ଆଦାନୀଙ୍କ ମାଷ୍ଟର ପ୍ଲାନ୍

244

କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟ ପରେ ବଜାରରେ ଦେଖାଦେଇଥିବା ସଙ୍କଟକୁ ଟାଳିବା ପାଇଁ ଫୁଲ ଦମରେ ଆଦାନି ଗ୍ରୁପ । ଗତ ସପ୍ତାହରେ ଆଦାନି ଗ୍ରୁପର ସେୟାର ଘାଟାରେ ପଡିଥିବା ବେଳେ ଚଳିତ ସପ୍ତାହର ପ୍ରଥମ ଦିନରେ ମଧ୍ୟ ଆଦାନି ଗ୍ରୁପକୁ ନିରୁତ୍ସାହିତ ହେବାକୁ ପଡିଛି । ଆଦାନି ଏଟଂରପ୍ରାଇଜେସ ଲିମିଟେଡ ୭ ପ୍ରତିଶତ, ଆଦାନି ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ୍ ୫.୫ ପ୍ରତିଶତ, ଆଦାନି ଟୋଟାଲ ଗ୍ୟାସ ୫ ପ୍ରତିଶତ, ଆଦାନି ଗ୍ରୀନ ଏନର୍ଜି ୫ ପ୍ରତିଶତ ଖସିଛି । ତେବେ ଏହାପୂର୍ବରୁ ଆଦାନି ଗ୍ରୁପ ନିଜର ରେଭିନ୍ୟୁ ଟାର୍ଗେଟ ୧୫ ପ୍ରତିଶତରୁ ୨୦ ପ୍ରତିଶତ କରିଛି । ଯାହାକି ପୂର୍ବରୁ ୪୦ ପ୍ରତିଶତ ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ଆସନ୍ତା ଆର୍ଥିକ ବର୍ଷରେ ଆୟ ଲକ୍ଷ୍ୟ ପୂର୍ବ ତୁଳନାରେ ଅଧା କରିଛନ୍ତି ଗୌତମ ଆଦାନି । ଏହାବାଦ କମ୍ପାନୀ କ୍ୟାପିଟାଲ ଏକ୍ସପେଣ୍ଡିଚର କମ କରିବାକୁ ଯୋଜନା କରିଛି । କମ୍ପାନୀ ବଜାରରେ ପ୍ରଭାବ ପକାଇବା ଅପେକ୍ଷା କିଭଳି ଆର୍ଥିକ ସ୍ଥିତି ମଜୁବତ ହେବ ତାଉପରେ ଆଦାନୀ ଗ୍ରୁପ ଉଦ୍ଦେଶ୍ୟ ରଖିଛି ।

ଜାନୁଆରୀ ୨୪ରେ ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି ସହି ସାରିଛି । ଏହାରି ଭିତରେ ନିକୋ ଏସିଆ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଆଦାନି ଗ୍ରୁପ ସମୂହ ଉପରେ ରହିଥିବା ଋଣ ଭାର ଭାରତର ଜିଡିପିର ପ୍ରାୟ ୧ ପ୍ରତିଶତ ବା ୩.୩୯ ଲକ୍ଷ କୋଟି ଟଙ୍କା ବୋଲି କୁହାଯାଉଛି । ସେହିପରି ଗତ ୩ ବର୍ଷରେ ଆଦାନି ୩ଟି କମ୍ପାନୀ ଅଧିଗ୍ରହଣ କରିଛି । ତେଣୁ ଋଣ ଭାର ବଢିଛି । ଆଉ କମ୍ପାନୀର ସେୟାର ମୂଲ୍ୟ ଅସ୍ଥିର ରହିବା ବେଳେ ଆଦାନି ପୋର୍ଟସ ଆଣ୍ଡ ଏସଇଜେଡ୍ ଅଧିକ ୭୫ ଲକ୍ଷ ସେୟାରକୁ ଏସବିଆଇ ବନ୍ଧକ ରଖିଛି ।