କନକ ବ୍ୟୁରୋ: ହିଣ୍ଡେନ୍‌ବର୍ଗ ରିପୋର୍ଟ ଅଡ଼ୁଆ ଆଦାନି ଗ୍ରୁପ୍‌ର ପିଛା ଛାଡ଼ୁନି। ଗତ ଜାନୁଆରି‌ ୨୪ରେ ଏହି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କ ସଂସ୍ଥା ଆଦାନି ଗ୍ରୁପ୍ ମଧ୍ୟ କ୍ଷତି ସହିଛି। ଏହି ରିପୋର୍ଟର ପ୍ରଭାବ ଧୀରେଧୀରେ ଅପସରି ଯାଉଥିବା ବେଳେ ପୁଣିଥରେ ଆଦାନିଙ୍କ ଅଡ଼ୁଆ ବଢ଼ିଛି। ହିଣ୍ଡେନ୍‌ବର୍ଗ ଯେଉଁସବୁ ଗମ୍ଭୀର ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଆମେରିକାରେ ଆରମ୍ଭ ‌ହୋଇଛି।

Advertisment

ନ୍ୟୁୟର୍କର ବ୍ରୁକ୍‌ଲିନ୍‌ରେ ଥିବା ଆମେରିକା ଆଟର୍ଣ୍ଣିଙ୍କ କାର୍ୟ୍ୟାଳୟ ପକ୍ଷରୁ ଆଦାନି ଗ୍ରୁପ୍‌‌ର ବିଭିନ୍ନ ସଂସ୍ଥାରେ ବଡ଼ଧରଣର ପୁଞ୍ଜିନିବେଶ କରିଥିବା ନିବେଶକମାନଙ୍କୁ ହାଜର ହେବାଲାଗି ନୋଟିସ୍ ପଠାଯାଇଛି। ଆମେରିକାର ପ୍ରତିଭୂତି ଓ ଏକ୍ସଚେଞ୍ଜ୍‌ କମିସନ ମଧ୍ୟ ଏହି ମାମଲାର ତଦନ୍ତ କରୁଛନ୍ତି। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଆଦାନି ଗ୍ରୁପ୍‌ ଏହାର ଆମେରିକୀୟ ନିବେଶକମାନଙ୍କୁ କ’ଣ କହି ବୁଝାଇଥିଲା ତାହା ଆମେରିକା କର୍ତ୍ତୃପକ୍ଷ ଜଣାଇବାକୁ ଚାହୁଛନ୍ତି।

ଏହି ଖବର ଉପରେ ପ୍ରତିକ୍ରିୟା ରଖି ଆଦାନି ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ ନିବେଶକମାନଙ୍କୁ ସେଭଳି କୌଣସି ନୋଟିସ୍ ପଠାଯାଇଥିବା ବିଷୟରେ ଆମେ ଜାଣିନାହୁଁ। କମ୍ପାନୀ ଯେଉଁ ଅଞ୍ଚଳରେ କାର୍ୟ୍ୟ କରୁଛି ସେଠାକାର ନୀତି ନିୟମ ଓ ଆକାଉଣ୍ଟିଂ ମାନକକୁ ପାଳନ କରିଥିବା ଅଭିଯୋଗକୁ ଆଦାନି ଗ୍ରୁପ୍ ଖଣ୍ଡନ କରିଛି। ଆମ ଘୋଷଣା ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।