ବାଙ୍ଗାଲୋରକୁ ବଡ ଝଟକା । ଚଳିତ ଆଇପିଏଲରୁ ଓହରିଲେ ଦୁଇ ବିଦେଶୀ ଖେଳାଳି, କିନ୍ତୁ କାହିଁକି?

700

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଚଳିତ ଆଇପିଏଲରୁ ବିଦାୟ ନେଲେ ଦୁଇ ବିଦେଶୀ ଖେଳାଳି । ଆଉ ଏହି ୨ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲୀୟ ଖେଳାଳି । ବ୍ୟକ୍ତିଗତ କାରଣରୁ ଦ୍ରୁତ ବୋଲର କେନ୍ ରିଚାର୍ଡସନ ଓ ସ୍ପିନର ଆଡାମ ଜାମ୍ପା ବାଙ୍ଗାଲୋରକୁ ବାଏ ବାଏ କରି ଅଷ୍ଟ୍ରେଲିଆ ଯିବାକୁ ନିଷ୍ପତି କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଆରସିବି ।

ବାଙ୍ଗାଲୋର ନିଜର ଅଫିସିଆଲ ଟ୍ୱିଟର ପେଜରେ ଲେଖିଛି, ଜାମ୍ପା ଓ ରିଚାର୍ଡସନ ବ୍ୟକ୍ତିଗତ କାରଣ ପାଇଁ ଅଷ୍ଟ୍ରେଲିଆ ଫେରିଯିବେ । ଆଇପିଏଲର ଆଗାମୀ ମ୍ୟାଚ୍ ଗୁଡିକ ପାଇଁ ଏହି ଦୁଇ ଖେଳାଳି ଉପଲବ୍ଧ ରହିବେ ନାହିଁ । ତେବେ ଏଭଳି ନିଷ୍ପତିକୁ ଆରସିବି ପକ୍ଷରୁ ସମର୍ଥନ କରୁଛି ବୋଲି ଉଲ୍ଲେଖ ରହିଛି ।

୨୯ ବର୍ଷୀୟ ଜାମ୍ପା ଚଳିତ ସିଜନରେ ଆଦୌ ମ୍ୟାଚ୍ ଖେଳିନଥିବା ବେଳେ ଗତ ସିଜିନରେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ମାତ୍ର ୨ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ ଜାମ୍ପା । ସେହିଭଳି ବାଙ୍ଗାଲୋର ପୂର୍ବରୁ ଜାମ୍ପା ପୁଣେ ସୁପରଜିଆଣ୍ଟଓ ପକ୍ଷରୁ ଖେଳିଛନ୍ତି । ଆଉ ପୁଣେ ପାଇଁ ୧୧ଟି ମ୍ୟାଚରୁ ୧୯ ୱିକେଟ ନେଇଛନ୍ତି ଜାମ୍ପା ।

ଅନ୍ୟପଟେ ରିଚାର୍ଡସନ ଚଳିତ ସିଜିନରେ ଏଯାଏଁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ୱିକେଟ ହାସଲ କରିଛନ୍ତି । ଏହାପୂର୍ବରୁ ରିଚାର୍ଡସନ ୨୦୨୦ରେ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଥିଲେ । ଆଉ ରିଚାର୍ଡସନଙ୍କ ବଦଳ ଖେଳାଳି ଭାବେ ଜାମ୍ପାଙ୍କୁ ଟିମରେ ସାମିଲ କରିଥିଲା ଆରସିବି । ଗତକାଲି ଚେନ୍ନାଇ ବିପକ୍ଷରେ ପରାଜିତ ହୋଇଥିଲେ ମଧ୍ୟ ଚଳିତବର୍ଷ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛି ବାଙ୍ଗାଲୋର । ୫ଟି ମ୍ୟାଚରୁ ୪ ମ୍ୟାଚ ଜିତି ବାଙ୍ଗାଲୋର ପଏଣ୍ଟ ଟେବୁଲର ୩ ନମ୍ବର ସ୍ଥାନରେ ରହିଛି ।