କମ୍ପ୍ରମାଇଜ୍ ପଛରେ କ’ଣ ରହିଛି ରହସ୍ୟ ? ସାମ୍ବାଦିକଙ୍କ ପ୍ରଶ୍ନରେ ନାଲି ଆଖି ଦେଖାଇଲେ ଏଲସା ।

183

କନକ ବ୍ୟୁରୋ : ୟୁ-ଟର୍ଣ୍ଣ ମାରିଛନ୍ତି ଫିଲ୍ମ ପାର୍ଟିରେ ଝଡ଼ ସୃଷ୍ଟି କରିଥିବା ବଙ୍ଗୀୟ ଅଭିନେତ୍ରୀ ଏଲସା । ତାଙ୍କ ମତ ବଦଳାଇ କହିଛନ୍ତି, ଅତ୍ୟଧିକ ରାଗର ବଶବର୍ତି ହୋଇ ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଦୁଇଦିନ ତଳେ ଏହି ବଙ୍ଗିୟ ନାୟିକା ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ ପାର୍ଟିରେ ହଙ୍ଗାମା କରିଥିଲେ । ବଙ୍ଗିୟ ନାୟିକାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଓଲିଉଡରେ ଝଡ ସୃଷ୍ଟି କରିଥିଲା ।

ଏପରିକି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନେବେ ବୋଲି ସୋସିଆଲ ମିଡିଆରେ କହିଥିଲେ ଅଭିନେତ୍ରୀ ଏଲସା । କିନ୍ତୁ ଆଜି ପ୍ରେସମିଟ୍ କରି କହିଥିଲେ, ତାଙ୍କର କମ୍ପ୍ରମାଇଜ ହୋଇଯାଇଛି । ଏବେ ପ୍ରଶ୍ନ ଉଠୁଛି ଏଲ୍ସାଙ୍କୁ ନିର୍ଯାତନା ଦିଆଯାଇଥିଲା ନା ନାହିଁ? ଯଦି ଦିଆଯାଇଥିଲା ଏହି ଦୁଇ ଦିନ ଭିତରେ ଏମିତି କଣ ହେଲା ଯେ ମତ ବଦଳାଇଲେ ଅଭିନେତ୍ରୀ ? ଏ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଉତକ୍ଷିପ୍ତ ହୋଇ ଉଠିଥିଲେ ଏଲ୍ସା । ଏପରିକି ସାମ୍ବାଦିକ ସମ୍ମିଳନୀରୁ ଉଠି ପଳାଇବା ସହ ଗଣମାଧ୍ୟମକୁ ନାଲି ଆଖି ଦେଖିଇବା ପାଇଁ ମଧ୍ୟ ପଛାଇନଥିଲେ ଅଭିନେତ୍ରୀ ଏଲସା ।