ହିଂସା ପଛରେ ଅଭିନେତା ଦୀପ ସିଦ୍ଧୁ ଓ ଗ୍ୟାଙ୍ଗଷ୍ଟର ଲାଖା ସିଧନା ! ସେପଟେ, ସିଦ୍ଧୁଙ୍କ ସହ କୌଣସି ସଂପର୍କ ନଥିବା ସ୍ପଷ୍ଟ କଲେ ସନ୍ନି ଦେଓଲ

ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁ ଓ ଦୁର୍ଦ୍ଦାନ୍ତ ଅପରାଧୀ ଲାଖା ସିଧନାଙ୍କର ପ୍ରଚ୍ଛନ୍ନ ହାତ ଥିବା ଜଣାଯାଇଛି

189

ଗତ ଜନରାଜ୍ୟ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁ ଓ ଦୁର୍ଦ୍ଦାନ୍ତ ଅପରାଧୀ ଲାଖା ସିଧନାଙ୍କର ପ୍ରଚ୍ଛନ୍ନ ହାତ ଥିବା ଜଣାଯାଇଛି । ଦିଲ୍ଲୀକୁ ପ୍ରବେଶ କରିବା ସହ ଲାଲକିଲ୍ଲା ହିଂସା ପାଇଁ ସିଦ୍ଧୁ ଓ ସିଧନା ଉସୁକାଇଥିବା ସ୍ପଷ୍ଟ ହୋଇଛି । ସେମାନେ ଦୁଇ ଦିନ ତଳୁ ଦିଲ୍ଲୀ ଆସି ସିଙ୍ଘୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଉତ୍ତେଜକ ଭାଷଣ ମାଧ୍ୟମରେ ହିଂସାକାଣ୍ଡ ପାଇଁ ପ୍ରୋତ୍ସାହିତ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ସିଦ୍ଧୁଙ୍କ ନାଁରେ ୨୬ଟି ଆପରାଧିକ ମାମଲା ରହିଥିବା ବେଳେ ଗତ ନଭେମ୍ବର ମାସରୁ ସେ ସିଙ୍ଘୁ ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ଡେରା ପକାଇ ରହିଛନ୍ତି।

ଅପରପକ୍ଷେ, ଭାରତୀୟ କିଷାନ ସଂଘର ହରିଆଣା ଶାଖା ମୁଖ୍ୟ ଗୁରନାମ ସିଂହ ଚାଦୁନିଙ୍କ ସମେତ ଅନେକ କୃଷକ ନେତା କେନ୍ଦ୍ରୀୟ ଦିଲ୍ଲୀରେ ସଂଘଟିତ ଏହି ହିଂସାକାଣ୍ଡଠାରୁ ନିଜକୁ ଦୂରେଇ ରଖିବା ସହ ଆନ୍ଦୋଳନକାରୀମାନଙ୍କୁ ଏପରି ଲାଲକିଲ୍ଲାରେ ଧସେଇ ପଶିବା ଲାଗି ଦୀପ ସିଦ୍ଧୁ ହିଁ ଉସୁକାଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ପୂର୍ବରାତିରେ ସିଦ୍ଧୁ ଓ ସିଧନା ଆନ୍ଦୋଳନରତ ଚାଷୀମାନଙ୍କୁ ଉସୁକାଉଥିବା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ସେହିପରି ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଦୀପ ସିଦ୍ଧୁ ହେଉଛନ୍ତି ନିଷିଦ୍ଧ ଉଗ୍ରବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ ର ସଦସ୍ୟ ବୋଲି କଂଗ୍ରେସ ସାଂସଦ ରବନୀତ ସିଂହ କହିଛନ୍ତି। ଲାଲକିଲ୍ଲାର ଅପ୍ରୀତିକର ଘଟଣା ପରେ ସାମାଜିକ ଗଣମାଧ୍ୟମରେ ହିନ୍ଦି ଭାଷାରେ ଏକ ଭିଡିଓ ଜାରି କରି ସିଦ୍ଧୁ କହିଛନ୍ତି ଯେ ଭାବପ୍ରବଣତାବଶତଃ ସେଠାରେ ନିଶାନ ସାହିବ ଓ କିଷାନ ସଂଘର ପତାକା ଉତ୍ତୋଳିତ ହୋଇଥିଲା।

ସିଦ୍ଧୁ ସହ ମୋର ସମ୍ପର୍କ ନାହିଁ: ସନ୍ନି ଦେଓଲ
ଲାଲକିଲ୍ଲାରେ ହୋଇଥିବା ହିଂସା ପଛରେ ପଂଜାବୀ ଅଭିନେତା ଦୀପ ସିଦ୍ଧୁ ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ବେଳେ ଚାଷୀ ନେତାମାନେ ତାଙ୍କୁ ଅଭିନେତା ତଥା ସାଂସଦ ସନ୍ନି ଦେଓଲଙ୍କ ଘନିଷ୍ଠ ବୋଲି କହିଛନ୍ତି। ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ସହ ଥିବା ତାଙ୍କର ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ ଲାଗୁଥିଲା ଦୀପଙ୍କ ସହ ଫଟୋ ଉଠାଇବା ପାଇଁ ସନ୍ନି ଉତ୍ସାହିତ ଅଛନ୍ତି। ସନ୍ନି ଟ୍ବିଟ୍‌ କରି କହିଛନ୍ତି, ଲାଲକିଲ୍ଲାରେ ଘଟିଥିବା ହିଂସା ପାଇଁ ଦୁଃଖିତ। ଡିସେମ୍ବର ୬ ତାରିଖରେ ଟ୍ବିଟର ମାଧ୍ୟମରେ ମୁଁ ସ୍ପଷ୍ଟ କରିଥିଲି ଯେ, ଦୀପ ସିଦ୍ଧୁଙ୍କ ସହ ମୋର କିମ୍ବା ମୋ ପରିବାରର କୌଣସି ସମ୍ପର୍କ ନାହିଁ। ତେବେ ଦୁହିଁଙ୍କର ଏହି ଅନ୍ତରଙ୍ଗ ଫଟୋ ଦେଖିବା ପରେ ସନ୍ନିଙ୍କ ଫ୍ୟାନ୍ସ ମହଲରେ ନୈରାଶ୍ୟ ଖେଳିଯାଇଛି। ‌ସୋସିଆଲ ମିଡିଆରେ ଭାଇରାଲ ‌‌ହେଉଥିବା ଫଟୋଟି ସନ୍ନିଙ୍କ ଡୁପ୍ଲିକେଟ୍‌ ବୋଲି କେତେକ ଫ୍ୟାନ୍‌ ଦାବି କରିଛନ୍ତି।