ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।

464

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫ହଜାର୮୫୦ରେ ପହଁଚିଛି । ଏଥିସହ ୮୩ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ହଜାର ୩୬୮ରେ ଥିବା ବେଳେ ୧ କୋଟି ୬ଲକ୍ଷ ୯୯ ହଜାର ୪୧୦ଜଣ ସୁସ୍ଥ ହୋଇଛନ୍ତି ।

ଫେବ୍ରୁଆରୀ ୨୦ ତାରିଖରେ ୧୩୯୯୩ ସଂକ୍ରମିତ
ଫେବ୍ରୁଆରୀ ୨୧ ତାରିଖରେ ୧୪୨୬୪ ସଂକ୍ରମିତ
ଫେବ୍ରୁଆରୀ ୨୨ ତାରିଖରେ ୧୪୧୯୯ ସଂକ୍ରମିତ

ଦେଶରେ ଗୋଟିଏ ସପ୍ତାହରେ ୮୭ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ହଠାତ ସଂକ୍ରମଣ ବଢିବା ସହିତ ନୂଆ ପ୍ରଜାତିର ଅଧିକ ସଂକ୍ରାମକ ଭୂତାଣୁ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ କରୋନା ସତର୍କତାକୁ ଆଦୌ ଗୁରୁତ୍ୱ ଦିଆଯାଉନଥିବାରୁ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି ।

ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ଗୁଡିକୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଆରଟିପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ସହ ସଂକ୍ରମଣ ବଢୁଥିବା ଅଂଚଳ ଗୁଡିକରେ ସର୍ଭିଲାନ୍ସ ଓ କଂଟେନମେଂଟ ନୀତି ଆପଣାନ୍ତୁ ବୋଲି ସରକାର କହିଛନ୍ତି ।

ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଛତିଶଗଡରେ ଯେଭଳି ଦ୍ରୁତ ସଂକ୍ରମଣ ଚାଲିଛି ସେଥିରୁ ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ନେଇ ସନ୍ଦେହ ବଢିବାରେ ଲାଗିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲାରୁ କେବଳ ୭୪ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରରୁ ଆସୁଛି ।

ମହାରାଷ୍ଟ୍ରର ସ୍ଥିତି ସବୁଠୁ ଅଧିକ ଉଦବେଗଜନକ ରହିଛି । ରାଜ୍ୟରେ ୬ରୁ ୧୨ ଫେବ୍ରୁଆରୀ ମଧ୍ୟରେ ୨୦ ହଜାର ୫୯୦ ମାମଲା ଆସିଛି । ଏହା ସହ ଗତ ୨୪ଘଂଟାରେ ମହାରାଷ୍ଟ୍ରରେ ୬ହଜାର ୯୭୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଲକ୍ଷ ୮୮୪ରେ ପହଂଚିଛି । ସବୁଠାରୁ ଅଧିକ ସହଂକ୍ରମିତ ଚିହ୍ନଟ ହୋଇଥିବା ଅମରାବତୀ ଓ ଅଚଳପୁରରେ ସୋମବାର ମଧ୍ୟ ରାତ୍ରରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ପୁଣେରେ ମଧ୍ୟ ଆଜିଠୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିୟମ କରାଯାଇଛି । ସେପଟେ କେରଳରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି କର୍ଣ୍ଣାଟକ, କେରଳ ସୀମାକୁ ବନ୍ଦ କରିଦିଆଯାଇଛି ।

ଦେଶରେ ଜାନୁଆରୀ ୨୯ ତାରିଖରେ ୧୮ ହଜାର ୮୫୫ ସଂକ୍ରମଣ ମାମଲା ଆସିଥିଲା । ଏହାପରେ ନିୟମିତ ମାମଲାରେ ହ୍ରାସ ଦେଖା ଦେଇଥିଲା । ଦେଶରେ କରୋନା ଟିକାକରଣ ଜୋରଦାର ହୋଇଥିବାରୁ ଭୂତାଣୁ ନିୟନ୍ତ୍ରଣକୁ ଚାଲିଆସିଥିବା ଅନୁମାନ କରାଯାଉଥିଲା । କିନ୍ତୁ ଗତ ଗୋଟିଏ ସପ୍ତାହରେ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି ।