କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ଶବ ବୋହିବା ଘଟଣା । ଷ୍ଟାଫ୍ ନର୍ସଙ୍କ ସମେତ ୨ କର୍ମଚାରୀ ନିଲମ୍ବିତ, ହେଲ୍ପ ଡେସ୍କର କର୍ମଚାରୀ ବହିଷ୍କୃତ ।

206

କନକ ବ୍ୟୁରୋ : ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ବୋହିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜଣେ ଷ୍ଟାଫ ନର୍ସ ଓ ଜଣେ ଆଟେଡାଣ୍ଟ ନିଲମ୍ବିତ ହୋଇଛନ୍ତି । ଏହା ଛଡ଼ା ହେଲ୍ପ ଡେସ୍କର କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି କର୍ତୃପକ୍ଷ । ଏହାପୂର୍ବରୁ ନିଜ ସ୍ତ୍ରୀର ଶବକୁ ହସପିଟାଲରୁ ନେବା ପାଇଁ ସ୍ୱାମୀ ସଂଘର୍ଷ କରୁଥିବାର ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ପାଖରେ ଲୋକ ଥିଲେ ବି ସହାୟତା କରିବା ପାଇଁ ଆଗକୁ ଆସୁନଥିଲେ । ହସ୍ପିଟାଲରେ ସ୍ତ୍ରୀର ଶବକୁ ଏକା ଏକା ଉଠାଇ ଗାଡ଼ି ପାଖକୁ ଆଣିଥିଲେ ସ୍ୱାମୀ । ଏକା ଶବକୁ ବୋହି ପାହଚ ପରେ ପାହାଚ ଓହ୍ଲାଇ ତଳକୁ ଆସିବା ପରେ ତଳ ଫ୍ଲୋରରେ ଥିବା ଷ୍ଟ୍ରେଚରରେ ପକାଇ ଠେଲି ଠେଲି ମହାପ୍ରୟାଣ ଗାଡ଼ି ଭିତରକୁ ନେଉଥିଲେ ସ୍ୱାମୀ ।

ଗାଡ଼ି ଭିତରକୁ ନେବା ବେଳେ ତାଙ୍କୁ ସହାୟତା କରିଥିଲେ ତାଙ୍କର ବୟସ୍କ ଶ୍ୱଶୁର । ଯିଏ ଦୁଇ ମାସର ଶିଶୁକୁ ତଳେ ଶୁଆଇ ନିଜ ଝିଅର ଶବକୁ ଗାଡ଼ି ଭିତରକୁ ନେବାରେ ସାହାଯ୍ୟ କରିିଥିଲେ  । ଏପରକି ଏହି ଅଭାବନୀୟ ଦୃଶ୍ୟର ଭିଡ଼ିଓ କରୁଥିବା ଲୋକ ମଧ୍ୟ ସହାୟତାର ହାତ ବଢ଼ାଇନଥିଲେ । କନ୍ଧମାଳ ଫିରିଙ୍ଗିଆ ବ୍ଳକ୍ ମତିଙ୍ଗିଆ ଗାଁର ଋତୁମତି କଅଁର ଏବଂ ତାଙ୍କ ସ୍ୱାମୀ ବାଳକୃଷ୍ଣ କଅଁରଙ୍କ ଏହି କାହାଣୀ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସ୍ତ୍ରୀ ରକ୍ତହୀନତା ରୋଗୀ ଥିଲେ, କିଡନୀ ରୋଗ ବି ଥିଲା । ଚିକିତ୍ସା ପାଇଁ ତାଙ୍କୁ ଗତ ୨୯ ତାରିଖରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଉ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।