କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିଶ୍ରା କରିବା ମାମଲାରେ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏୟାର ଇଣ୍ଡିଆ ପକ୍ଷରୁ ନିୟମ ଉଲଙ୍ଘନ କରାଯାଇଥିବା ନେଇ ଡିଜିସିଏ ତରଫରୁ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏହାସହ ପାଇଲଟ ଇନ୍ କମାଣ୍ଡଙ୍କ ଲାଇସେନ୍ସ ମଧ୍ୟ ୩ମାସ ପାଇଁ ରଦ୍ଦ କରାଯାଇଛି ।

Advertisment

ପାଇଲଟଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ବିମାନ ନିୟମ ୧୯୭୩ର ଧାରା ୧୪୧ ଅନୁସାରେ କରାଯାଇଛି । ଏହି ନିୟମ ମୁତାବକ ପାଇଲଟ ଜଣଙ୍କ ନିଜ କାର୍ଯ୍ୟରେ ଅବହେଳା କରିଛନ୍ତି । ସେପଟେ ଏୟାର ଇଣ୍ଡିଆର ଉଡାଣ ସେବା ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ୩ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ସୂଚନା ମୁତାବକ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଶାରେ ଜଣେ ମହିଳାଙ୍କ ଉପରେ ପରିଶ୍ରା କରିଦେଇଥିଲେ । ଏହି ମାମଲାରେ ମହିଳା ଜଣଙ୍କ ଏୟାର ଇଣ୍ଡିଆ ଉପରେ ସଂପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ମାମଲାକୁ ଆପୋଷ ସମାଧାନ କରିବା ଭଳି ଅଭିଯୋଗ ଆଣିଥିଲେ । ଏହାପରେ ଡିଜିସିଏ ତରଫରୁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲା ।

ଅନ୍ୟପଟେ ମହିଳାଙ୍କ ଉପରେ ପରିଶ୍ରା କରିଥିବା ଯାତ୍ରୀ ଶଂକର ମିଶ୍ରାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଶଂକର ମିଶ୍ରାଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ୪ ମାସ ପର୍ଯ୍ୟନ୍ତ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି ।