ଦାଦନଙ୍କ ଉପରେ ଦଲାଲର ଜୁଲମ୍ । ଦରମା ମାଗିବାରୁ ଏସିଡ୍ ଢାଳିଲା, ଆଙ୍ଗୁଳି କାଟିଲା ମାଲିକ। ପଢନ୍ତୁ ବିଜୟନଗରମ ହେମଗିରି ଇଟାଭାଟିର ନିର୍ଯାତନାର କାହାଣୀ..

136

କନକ ବ୍ୟୁରୋ: କେବେ ସରିବ ଦାଦନର ଦୁଃଖ । ଆନ୍ଧ୍ରରେ ଦାଦନଙ୍କ ଉପରେ ଦଲାଲର ଜୁଲମ୍ । ଦରମା ମାଗିବାରୁ ଶ୍ରମିକଙ୍କ ଉପରକୁ ଦଲାଲ ଏସିଡି ମାଡ କରିଥିବା ଅଭିଯୋଗ ହୋଇଛି । ଏସିଡି ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଆନ୍ଧ୍ର ବିଜୟନଗରମରେ ଇଟାଭାଟିରେ ସୁନ୍ଦରଗଡ ଜିଲ୍ଲା ହେମଗିରି ଅଂଚଳର ୧୧ ଦାଦନ ଶ୍ରମିକ ନିର୍ଯାତିତ ହେଉଥିବା ଖବର ସାମ୍ନାକୁ ଆସିଛି ।

ତେବେ ଦଲାଲ କବଳରୁ ୪ ଜଣ ଶ୍ରମିକ କୌଶଳ କ୍ରମେ ଖସି ଆସିବା ପରେ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ଏବେ ବି ଦଲାଲ କବଳରେ ଆଉ ୭ ଜଣ ଶ୍ରମିକ ରହିଛନ୍ତି । ଅଟକ ଥିବା ୭ ଜଣ ଶ୍ରମିକଙ୍କ ମଧ୍ୟରୁ ଦଲାଲ ଜଣଙ୍କର  ହାତ କାଟି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ହେମଗିରିର ୧୧ଜଣ ଶ୍ରମିକ ବିଜୟନଗରମ୍ ଇଟାଭାଟିରେ କାମ କରୁଥିଲେ। ଶ୍ରମିକମାନେ ନିଜ ପାରିଶ୍ରମିକ ମାଗିଲେ ମାଲିକ ଦରମା ତ ଦିଅନ୍ତି ନାହିଁ, ଓଲଟି ମାରପିଟ କରିବା ଆରମ୍ଭ କରି ଦେଇଥାଆନ୍ତି। ତେବେ ନିକଟରେ ଇଟାଭାଟିର ମାଲିକକୁ ଜଣେ ଦାଦନ ଶ୍ରମିକ ନିଜ ପାରିଶ୍ରମିକ ମାଗିଥିଲେ। ମାଲିକ ଶ୍ରମିକଙ୍କ ପାରିଶ୍ରମିକ ଦେବା ବଦଳରେ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ।

କେବଳ ଏତିକି ନୁହେଁ ଅନ୍ୟ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ କୌଶଳ କ୍ରମେ ୪ଜଣ ଖସି ଆସିଥିବା ବେଳେ ଅନ୍ୟ ୭  ଜଣ  ବନ୍ଧକ ଥିବା ସୂଚନା ମିଳିଛି। ଏସିଡ୍ ମାଡର ଶିକାର ହୋଇଥିବା ଶ୍ରମିକକୁ ଧରି ଅନ୍ୟ ୪ଜଣ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ଗୁରୁତର ଅବସ୍ଥାରେ ଏସିଡ୍ ମାଡ ଶିକାର ହୋଇଥିବା ଶ୍ରମିକକୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।