ସୈତାନ ସ୍ୱାମୀ ! ମେଡିକାଲ କଲେଜରେ ପଶି ସ୍ତ୍ରୀ ଉପରେ ପକାଇଦେଲା ଏସିଡ଼,

44

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି କ୍ୟାମ୍ପସରେ ଏସିଡ୍ ମାଡ଼ । କ୍ଲାସକୁ ଯିବାବେଳେ ଡିଏମଏଲଟି ଛାତ୍ରୀଙ୍କ ଉପରକୁ ଏସିଡ ମାଡ଼ ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଛାତ୍ରୀଙ୍କ ସ୍ୱାମୀ ଏହି ଏସିଡ୍ ମାଡ଼ କରିଥିବା ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସ୍ୱାମୀ ଫେରାର୍ ହୋଇ ଯାଇଥିବା ବେଳେ ଏବେ ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସବୁଠାରୁ ବଡ଼ କଥା ହେଲା ମାତ୍ର ୫ ମାସ ପୂର୍ବରୁ ବିବାହ କରିଥିଲେ ଏହି ଦମ୍ପତି ।

acid attackସ୍ୱାମୀ ବନିଲା ସୈତାନ ? ସ୍ତ୍ରୀ ଉପରେ କଲା ଏସିଡ୍ ମାଡ଼ । ଯେଉଁ ହାତରେ ଦିନେ ମଥାରେ ସିନ୍ଦୁର ସଜାଇ, ସାରା ଜୀବନର ସାଥୀ ହେବାର ସଂକଳ୍ପ ନେଇଥିଲା ସ୍ୱାମୀ, ସେହି ହାତରେ ଆଜି ଏସିଡ୍ ମାଡ଼ କରି ଜୀବନରୁ ହଟାଇ ଦେବାର ଉଦ୍ୟମ କରିଛି । ପାଲିଙ୍କିରେ ବୋହୂ ବେଶରେ ସଜାଇ ଘରକୁ ପାଛୋଟି ନେଇଥିବା ମଣିଷ, ଆଜି ଜୀବନ-ମୃତ୍ୟୁର ସଂଗ୍ରାମ ପାଇଁ ଛାଡ଼ି ଯାଇଛି ହସ୍ପିଟାଲ ବେଡରେ । ମାତ୍ର ୫ ମାସ ପରେ ବଦଳି ଯାଇଛି ସବୁ କିଛି । ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ପରିସରର ଘଟିଥିବା ଏସିଡ୍ ମାଡ଼ ପଛରେ ପୀଡ଼ିତାଙ୍କ ସ୍ୱାମୀଙ୍କ ହାତ ରହିଛି ବୋଲି ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଉ ଏନେଇ ବ୍ରହ୍ମପୁର ମହିଳାଥାନରେ ଅଭିଯୋଗ କରିଛନ୍ତି ।

ସବୁ ଦିନ ଭଳି ସ୍ୱାଭାବିକ୍ ଥିଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ କ୍ୟାମ୍ପସ । ହେଲେ ସକାଳ ୧୧ଟା ବେଳକୁ ଡିଏମଏଲଟି ଛାତ୍ରୀଙ୍କ ଉପରେ କେହି ଜଣେ ଏସିଡ୍ ମାଡ଼ କରି ଫେରାର ହୋଇଯାଇଥିବାର ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ମିନତି ପ୍ରଧାନ ନାମକ ଛାତ୍ରୀ ଜଣକ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ । ତେବେ କିଏ ଓ କାହିଁକି ଏସିଡ ପକାଇଲା ତାହା କେହି ବୁଝି ପାରୁନଥିଲେ । କିନ୍ତୁ କିଛି ସମୟ ପରେ ପୀଡିତାଙ୍କ ପରିବାର ଏହି ଘଟଣା ପାଇଁ ତାଙ୍କ ସ୍ୱାମୀକୁ ଦାୟୀ କରିଥିଲେ ।

ଏସିଡ ମାଡ ଘଟଣା ପୂର୍ବରୁ ମଧ୍ୟ କଲେଜ ପରିସରରେ ପୀଡିତାଙ୍କୁ ତାଙ୍କ ସ୍ୱାମୀ ଅନେକ ସମୟରେ ଧମକଚମକ ଦେଇ ଆସୁଥିଲେ । ହେଲେ କେହି କଳ୍ପନା ବି କରିନଥିଲେ ଯେ, ସେ ଏଭଳି ଏକ କାଣ୍ଡ ଘଟାଇ ଦେବେ । ଏବେ ପୀଡ଼ିତାଙ୍କ ମୁହଁର ପ୍ରାୟ ୩୦ ପାଖ ପୋଡ଼ି ଯାଇଥିବା ବେଳେ ଶରିରର କିଛି ଅଂଶ ମଧ୍ୟ ଏସିଡ୍ ମାଡ ଯୋଗୁଁ ପୋଡ଼ି ଯାଇଛି । କଲେଜ କ୍ୟାମ୍ପସରେ ଏଭଳି ଏକ ଘଟଣା ଯେତିକି ଆଲୋଚନାର ବିଷୟ ହୋଇଛି, ଜଣେ ସ୍ୱାମୀ, ନିଜ ସ୍ତ୍ରୀଙ୍କୁ ଏସିଡ୍ ମାଡ଼ର ଅଭିଯୋଗ ଖବର ତାଠୁ ଅଧିକ ସମସ୍ତଙ୍କୁ ଦୋହଲାଇ ଦେଇଛି ।