ପରୀକ୍ଷାରେ କପି ଯୋଗାଇବାକୁ ବ୍ୟବହାର କରାଯାଉଛି କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା

237

କନକ ବ୍ୟୁରୋ : ପରୀକ୍ଷାରେ କପି ଯୋଗାଇବାକୁ ଏଆଇ ବା ଆଟିଫିସିଆଲ ଇଂଟେଲିଜେନ୍ସକୁ ବ୍ୟବହାର କରାଯାଇଥିବା ଭଳି ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଜ୍ଞାନ କୌଶଳ ବ୍ୟବହାର କରି ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ କପି ଯୋଗାଉଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ଅଭିଯୁକ୍ତ ଜଣକ ଏଆଇ ଜ୍ଞାନ କୌଶଳରେ ନିର୍ମିତ ଚାର୍ଟ ଜିପିଟି ଆପ୍ ବ୍ୟବହାର କରି ଉତର ଯୋଗାଇଥିଲେ । ଅଭିଯୁକ୍ତଙ୍କ ନାଁ ପୁଲା ରମେଶ ଓ ସେ ତେଲେଙ୍ଗାନାର ନର୍ଥ ପାୱାର ଡିଷ୍ଟ୍ରିବ୍ୟୁଶନରେ କାମ କରୁଥିଲେ । କିଛି ଦିନ ପୂର୍ବରୁ ତେଲେଙ୍ଗାନା ଆସିଷ୍ଟାଂଟ ଏକଜିକ୍ୟୁଟିଭ ଇଂଜିନିୟର ପରୀକ୍ଷା ଓ ଡିଭିଜନାଲ ଆକାଉଁଟ ଅଫିସର ପରୀକ୍ଷା ଥିବାବେଳେ ଏହାର ପ୍ରଶ୍ନପତ୍ର ଲିକ ହୋଇଥିଲା । ପୁଲା ରମେଶ ଏହି ଲିକ ପ୍ରଶ୍ନପତ୍ର ହାତେଇବା ପରେ ଏହାର ଉତର ସଂଗ୍ରହ କରିଥିଲେ । ପରେ ଚାର୍ଟଜିପିଟି ଆପ ଜରିଆରେ ଉତର ବାହାର କରି ହଲରେ ଥିବା ପରୀକ୍ଷାର୍ଥୀଙ୍କୁ ଯୋଗାଇଥିଲେ । ପରୀକ୍ଷାର୍ଥୀମାନେ କାନପୁଡା ଭିତରେ ସ୍ୱତନ୍ତ୍ର ଇୟରବର୍ଡ ବ୍ୟବହାର କରି ଉତର ପାଇଥିଲେ । କିନ୍ତୁ ସେଠାରେ ଥିବା ଶିକ୍ଷକ ଏହାର କୌଣସି ଟେର ପାଇନଥିଲେ । ୭ଜଣ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ୪୦ଲକ୍ଷ ଟଙ୍କା ରୋଜଗାର କରିଥିଲେ ଅଭିଯୁକ୍ତ । ପରୀକ୍ଷାରେ ଅସାଧୁ ଉପାୟରେ ଅଧିକ ମାର୍କ ରଖିବା ପାଇଁ ଏବେ ଚାର୍ଟଜିପିଟି ବ୍ୟହାରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।