ଦୁର୍ଘଟଣା ଭରିଦେଲା ଆଖିରେ ଲୁହ ! ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପତ୍ନୀ ଉପରେ ୪ଟି ପିଲାଙ୍କ ବୋଝ

58

କନକ ବ୍ୟୁରୋ : ଦୁର୍ଘଟଣାରେ ଘରର ମୁରବୀ ଆରପାରିକୁ ଚାଲିଯିବା ପରେ ଘରେ ଜଳୁନି ଚୁଲି । ତିନି ଦିନ ତଳେ ଜଗତସିଂହପୁର ଜିଲ୍ଲାରେ ଦୁର୍ଘଟଣାରେ ଲିଭିଯାଇଛି ୮ ଜଣଙ୍କ ଜୀବନ ଦୀପ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଣ୍ଡାସାହି ଜାହାନପୁରର ବାପ ଝିଅ । ସୁଧିର ବେହେରା ଓ ତାଙ୍କ ୧୪ ବର୍ଷୀୟା ଝିଅ ଯାଜ୍ଞସେନୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପତ୍ନୀ ମାମିନାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡିଛି ପାହାଡ଼ ।

ମାମିନାଙ୍କ ଆଖିରୁ ଶୁଖିଯାଇଛି ଲୁହ । ଛାତି ଭିତରେ ଅନେକ କୋହ, ହେଲେ କାନ୍ଦିବାକୁ ବେଳ ନାହିଁ । କାରଣ ମୁଣ୍ଡ ଉପରେ ତାଙ୍କର ଏବେ ଚାରି ଚାରିଟି ବାପ ଛେଉଣ୍ଡ ପିଲାଙ୍କ ବୋଝ । ତିନି ଦିନ ତଳେ ଅଟୋ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସ୍ୱାମୀ ସୁଧିର ବେହେରା ଆଉ ସାନ ଝିଅ ଯାଜ୍ଞସେନୀ । ମାଛଗାଁରେ ରହି ରାଜମିସ୍ତ୍ରୀ କାମ କରୁଥିବା ଜାହାନପୁର ଗାଁର ସୁଧିର ଝିଅର ଛୁଟି ଥିବାରୁ ପାଖକୁ ଡକାଇ ନେଇଥିଲେ । ଅଚ୍ୟୁତାନନ୍ଦଙ୍କ ଭକ୍ତ ସୁଧିର ସ୍ଥାନୀୟ ଲୋକଙ୍କ ସହ ଝିଅକୁ ସାଙ୍ଗରେ ନେଇ ନେମାଳ ଯାଇଥିଲେ ସ୍ନାନଯାତ୍ରା ଦେଖିବାକୁ । ହେଲେ ସ୍ନାନଯାତ୍ରା ଦର୍ଶନ ବାପ ଝିଅଙ୍କ ପାଇଁ ପାଲଟି ଗଲା ମହାଯାତ୍ରା ।

ଦୁର୍ଘଟଣାରେ ସୁଧିର ଓ ତାଙ୍କ ଝିଅର ମୃତ୍ୟୁ ପରେ ଜାହାନପୁର ଗାଁରେ ଖେଳିଯାଇଛି ଶୋକର ଛାୟା । ମୃତ୍ୟୁ ପଥର ଯାତ୍ରୀ ସାଜିଥିବା ସୁଧିର, ପଛରେ ଛାଡି ଦେଇ ଯାଇଛନ୍ତି ପତ୍ନୀ ମାମିନା ଆଉ ଚାରି ଚାରିଟି ପିଲା । ରାଜମିସ୍ତ୍ରୀ କାମ କରି ପରିବାର ଚଳାଉଥିବା ସୁଧିର ଭଲ ଘର ଖଣ୍ଡେ ବି କରିନାହାନ୍ତି । ସ୍ୱାମୀ ଅଧା ବାଟରେ ହାତ ଛାଡି ଚାଲିଯିବା ପରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ପତ୍ନୀ । କିପରି ପିଲାଙ୍କ ମୁହଁରେ ଦାନା ଦେବେ ଆଉ ପାଠ ପଢାଇ ମଣିଷ କରିବେ ଏହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ମୃତ ସୁଧିରଙ୍କ ପତ୍ନୀ ମାମିନା ।

ଶନିବାର ଜଗତସିଂହପୁର ମାଛଗାଁ ରାସ୍ତାରେ ଅଟୋକୁ ହାଇୱା ଚାପି ଦେବା ପରେ ଲିଭିଗଲା ୮ ଜଣଙ୍କ ଜୀବନ ଦୀପ । ଆଉ ଏହି ଦୁର୍ଘଟଣା ପରେ ଖାଲି ସୁଧିରଙ୍କ ପରିବାର ନୁହେଁ, ଉଜୁଡି ଯାଇଛି ଅନେକ ପରିବାର ।