ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ୩ଗୁରୁତର

3,031

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହେଲା କାର । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଦୁହିରିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତ ରାତିରେ ପୁରୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁହିରିଆ ଛକରେ ଠିଆ ହୋଇଥିବା ଏକ ଟ୍ରକର ପଛପଟେ କାର ପିଟି ହୋଇଥିଲା । ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ମୃତକ ଦୁଇ ଜଣ ହେଲେ କେନ୍ଦ୍ରାପଡାର ପ୍ରଣତି ପଣ୍ଡା ଓ ବିଜୟ ସାହୁ, ତିନି ଆହତଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କେନ୍ଦ୍ରାପଡ଼ା ସହରର ଦୁଇଟି ପରିବାର ଏକ ଏଟ୍ରିକା କାରରେ ଜଗନ୍ନାଥ ଦର୍ଶନ ସାରି ପୁରୀରୁ କେନ୍ଦ୍ରାପଡ଼ା ଫେରୁଥିଲେ। ଏହି କାର୍ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନ ବିହାରରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣା ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଘଟିଥିବା କୁହାଯାଉଛି।

ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ପ୍ରଣତି ପଣ୍ଡା ଓ ବିଜୟ ସାହୁ ନାମକ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ପରେ ଖବର ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରୁ ଗୁରୁତର ଆହତ ଦେବାଶିଷ ପଣ୍ଡା ,ତାଙ୍କ ନାବାଳକ ପୁଅ ଏବଂ  ଗାଡ଼ି ଚାଳକ ପ୍ରଦୀପ ମହାନ୍ତିଙ୍କୁ ଉଦ୍ଧାର କରିଥିଲା। ଗାଡ଼ି ଚାଳକ ପ୍ରଦୀପ ମହାନ୍ତିଙ୍କ ଘର ନିକଟସ୍ଥ ଯାତ୍ରାପାଟଣା ଗାଁରେ ବୋଲି ଜଣାପଡ଼ିଛି। ସମସ୍ତ ଆହତମାନଙ୍କୁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।