ଏବେ ନିର୍ବାଚନ ହେଲେ ଏନଡିଏକୁ ୩୦୦, ୟୁପିଏକୁ ମିଳିବ ୧୧୬ ଆସନ ଏବଂ ମୋଦି ହେବେ ପ୍ରଧାନମନ୍ତ୍ରୀ ! ଏବିପି ନ୍ୟୁଜ୍-ସିଭୋଟର ସର୍ଭେ

ଏନଡିଏକୁ ୩୦୦, ୟୁପିଏକୁ ୧୧୬ ଏବଂ ଅନ୍ୟ ଦଳ ଗୁଡିକୁ ୧୨୭ଟି ଆସନ ମିଳିପାରେ

159

କନକ ବ୍ୟୁରୋ : ଦେଶରେ ଏବେ ସାଧାରଣ ନିର୍ବାଚନ ହେଲେ, କିଏ କେତେ ଆସନ ପାଇବ । ଏ ସଂପର୍କରେ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେକୁ ଜାତୀୟ ଗଣମାଧ୍ୟମ ମାନେ ପ୍ରକାଶ କରୁଛନ୍ତି । ରିପୋର୍ଟ ଅନୁସାରେ ଏନଡିଏକୁ ୩୦୦, ୟୁପିଏକୁ ୧୧୬ ଏବଂ ଅନ୍ୟ ଦଳ ଗୁଡିକୁ ୧୨୭ଟି ଆସନ ମିଳିପାରେ । ତେବେ ୫୬ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଥିବାବେଳେ ୩୬ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଥିବା ସର୍ଭେରେ କୁହାଯାଇଛି ।

ଓଡ଼ିଶାର ୨୧ଟି ଲୋକସଭା ଆସନ ଭିତରୁ ୧୨ଟି ଆସନରେ ବିଜେପି, ୬ଟି ଆସନରେ ବିଜେଡି ଏବଂ ୩ଟି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ । ଗତ ସେପ୍ଟେମ୍ବର ମାସରେ ଏକା ଧରଣର ସର୍ଭେ କରାଯାଇଥିଲା । ଆଉ ଏଥିରେ ବିଜେପି ଗୋଟିଏ ଆସନରେ ଅଧିକା ଥିଲା । ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରର ଅନେକ ସଂସ୍ଥା ଏଭଳି ସର୍ଭେ କରିଥାନ୍ତି ।

ସେପଟେ ରାଜସ୍ଥାନରେ ବଦଳିପାରେ ସରକାର । କ୍ଷମତାକୁ ପୁଣି ଫେରିପାରେ କଂଗ୍ରେସ । ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଟାଇମ୍ସ ନାଓ ଓ ସିଏନଏକ୍ସ ପକ୍ଷରୁ ହୋଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେରେ ଏଭଳି ଆକଳନ କରାଯାଇଛି । ସର୍ଭେରେ କୁହାଯାଇଛି ରାଜ୍ୟରେ ବିଜେପି ସରକାରର ପରାଜୟ ହେବ ଏବଂ କଂଗ୍ରେସ ଦଳ କ୍ଷମତାକୁ ଫେରିବ ବୋଲି କୁହାଯାଇଛି । ଏହି ସର୍ଭେ ୬୭ଟି ନିର୍ବାଚନ ମଣ୍ଡଳୀରେ କରାଯାଇଥିଲା ଏବଂ ଏଥିରେ ୮୦୪୦ଜଣ ଭୋଟର ଅଂଶ ଗ୍ରହଣ କରିଥିଲେ ।

ସର୍ଭେ ମୁତାବକ ରାଜସ୍ଥାନର ୨୦୦ ବିଧାନସଭା ଆସନରୁ କଂଗ୍ରେସ ୧୧୦ରୁ ୧୨୦ ଆସନ ପାଇବ । ବିଜେପି ୭୦ ରୁ ୮୦ ଆସନ ମଧ୍ୟରେ ସୀମିତ ରହିବ । ୪୮ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କାମରେ ସନ୍ତୁଷ୍ଟ ନଥିବା ଦର୍ଶାଇଛନ୍ତି । ୩୫ପ୍ରତିଶତ ଭୋଟର ବସୁନ୍ଧରାଙ୍କ କାମରେ ସନ୍ତୁଷ୍ଟ ବୋଲି କହିଥିବାବେଳେ ୧୨ପ୍ରତିଶତ ସରକାରଙ୍କ କାମକୁ ପ୍ରଭାବଶାଳୀ ବୋଲି କହିଛନ୍ତି । ରାଜସ୍ଥାନରେ ପରବର୍ତି ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ପ୍ରଶ୍ନରେ ବସୁନ୍ଧରାଙ୍କ ବିକଳ୍ପ ଭାବେ କଂଗ୍ରେସ ନେତା ସଚିନ୍ ପାଇଲଟଙ୍କୁ ଲୋକେ ପସନ୍ଦ କରିଛନ୍ତି । ତେବେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅଧିକ ଲୋକ ପସନ୍ଦ କରିଛନ୍ତି ।