ମୋଦିଙ୍କ ଶାସନରେ ମହିଳା ଅସୁରକ୍ଷିତ ? ୨୦୧୪ରୁ ୨୦୧୬ ଭିତରେ ସାମ୍ନାକୁ ଆସିଛି ୧୦,୦୭,୬୫୪ ଦୁଷ୍କର୍ମ ମାମଲା ।

48

ଦେଶରେ ମହିଳା ସୁରକ୍ଷା ଏବେ ଏକ ବଡ ପ୍ରସଙ୍ଗ ହୋଇଥିବା ବେଳେ ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ ମାମଲା । ପ୍ରତ୍ୟେକ ସମୟରେ କେଉଁଠି ନା କେଉଁଠି ଏଭଳି ସଙ୍ଗୀନ ମାମଲା ନେଇ ଥାନାରେ ଏତଲା ଦାୟର କରାଯାଉଛି । ସରକାରୀ ସ୍ଥରରେ ଏଥିପ୍ରତି ଦୃଷ୍ଟି ଦିଆଯାଉଥିଲେ ସୁଦ୍ଧା ଦୁଷ୍କର୍ମ ଭଳି ଲଜ୍ଜାଜନକ ଅପରାଧ ଥମିବାର ନାଁ ନେଉନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ କିଛି ବର୍ଷ ମଧ୍ୟରେ ମୋଦିଙ୍କ ଶାସନ କାଳରେ ହୋଇଛି ସବୁଠାରୁ ଅଧିକ ଦୁଷ୍କର୍ମ ମାମଲା । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ୨୦୧୪ ମସିହାରୁ ବିଭିନ୍ନ ଥାନରେ ଦାୟର ହୋଇଥିବା ଦୁଷ୍କର୍ମ ମାମଲାର ଏକ ଚିଠା ପ୍ରସ୍ତୁତ କରାଯାଇଛି ।

୨୦୧୪ ମସିହାରେ ଦେଶର ବିଭିନ୍ନ ଥାନରେ ଦୁଷ୍କର୍ମ ନେଇ ୩,୩୯,୪୫୭ଟି ମାମଲା ଦାୟର ହୋଇଥିବା ବେଳେ ୨୦୧୫ ମସିହାରେ ଦେଶର ବିଭିନ୍ନ ଥାନାରେ ୩,୨୯,୨୪୩ଟି ଦୁଷ୍କର୍ମ ମାମଲା ଦାୟର କରାଯାଇଛି । ସେହିପରି ୨୦୧୬ ମସିହାରେ ଦୁଷ୍କର୍ମ ନେଇ ଦେଶର ଅଲଗା ଅଲଗା ଥାନାରେ ମୋଟ୍ ୩,୩୮,୯୫୪ଟି ମାମଲା ଦାୟର କରାଯାଇଛି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଗୃହ ମନ୍ତ୍ରାଳୟର କହିବା ଅନୁଯାୟୀ, ମହିଳାମାନଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ପ୍ରଣୟନ କରାଯାଇଛି । ଅପରାଧ ଆଇନ ଅଧ୍ୟାଦେଶ ୨୦୧୮ ଭଳି ଏମିତି ଏକ ଆଇନ ସ୍ଥାପିତ ହୋଇଛି ଯାହା ମୃତ୍ୟୁଦଣ୍ଡ ସହ ବଳାତ୍କାର ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିର୍ଦ୍ଧାରଣ କରିଥାଏ ।

ଦେଶରେ ମହିଳାମାନଙ୍କ ସୁରକ୍ଷା ଏବଂ ଦୁଷ୍କର୍ମ ଭଳି ମାମଲାକୁ ରୋକିବା ପାଇଁ ସରକାର ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ଅଖିଳ ଭାରତୀୟ ୨୪x୭ ହେଲ୍ପଲାଇନ ସଂସ୍ଥା ୧୧୨ ଆଧାରରେ ଆପତ୍ତକାଳୀନ ପ୍ରତିକ୍ରିୟା ସମର୍ଥନ ପ୍ରଣାଳୀ ବିକଶିତ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ହେଲ୍ପଲାଇନ କଲ୍, ଏସଏମଏସ, ଇମେଲ୍ ଜରିଆରେ କାର୍ଯ୍ୟକାରୀ ହେଉଛି । ଏପରିକି ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟରେ ଆଡଆଇଜରି ଜାରି କରାଯାଇଛି । ଯଥା ଦୁଷ୍କର୍ମ ସମ୍ବନ୍ଧିତ ଏତଲା ଦାୟର କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅନଲାଇନ ଅଭିଯୋଗ କାଉନସେଲିଂ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି । ପୋଲିସରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବଢାଇବା, ବିଶେଷ ମହିଳା ପୋଲିସ ସ୍ୱୟଂସେବକ ସଦସ୍ୟ ନିୟୋଜିତ କରିବା ଆଦି ଦିଗରେ ଧ୍ୟାନ ଦିଆଯାଉଛି ।

ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ସାଇବର ଅପରାଧକୁ ରୋକିବା ପାଇଁ ଏକ ଅଲଗା ପୋର୍ଟାଲ ଆରମ୍ଭ କରାଯାଇଛି । ଦୁଷ୍କର୍ମ ମାମଲାକୁ ସଠିକ ଭାବରେ ଯାଞ୍ଚ କରିବା ପାଇଁ ଫୋରେନସିକ୍ ଲାବ୍ ନିର୍ମାଣ କରାଯାଇଛି । ଦୁଷ୍କର୍ମ ରୋକିବା ପାଇଁ ଦେଶର ୮ଟି ସହରରେ ସୁରକ୍ଷା ସହର ଯୋଜନା ଆଧାରରେ ନୂଆ ବିଲ୍ଡିଂ, ଉନ୍ନତ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି । ସାରା ଦେଶରେ ଏହି ଅପରାଧ ଉପରେ ରୋକ ଲଗାଇବା ପାଇଁ ତଦନ୍ତର ଯାଞ୍ଚ ଏବଂ ଟ୍ରାକିଂ ସୁବିଧା ନିମନ୍ତେ ସରକାର ଅପରାଧୀ ମାନଙ୍କ ସନ୍ଧାନ ପାଇଁ ଏକ ରାଷ୍ଟ୍ରୀୟ ଡାଟାବେସ୍ ବିକାଶ ପାଇଁ ଯୋଜନା ଆରମ୍ଭ କରିଛନ୍ତି ।