ଓଡିଶା ଛୁଇଁବା ପରେ ଦୁର୍ବଳ ମୌସୁମୀ ବାୟୁ ! ଚଳିତ ମାସରେ ବି ବଡ ବର୍ଷା ହୋଇନପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ

206
କନକ ବ୍ୟୁରୋ :  ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାରା ଓଡ଼ିଶାକୁ ସ୍ପର୍ଶ କରିଥିଲେ ମଧ୍ୟ ଗତ ୧୨ ଘଣ୍ଟା ମଧ୍ୟରେ ସେଭଳି ବର୍ଷା ନାହିଁ। ମାଲକାନଗିରି ସମେତ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ତେବେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପରେ ସେଭଳି ବର୍ଷାର ସମ୍ଭାବନା ବି ଦେଖିବାକୁ ମିଳୁନାହିଁ। କାଳବୈଶାଖୀ ପ୍ରଭାବରେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିଛି। ଏଥିସହ ଓଡ଼ିଶା ଉପର ଦେଇ ଏକ ଟ୍ରପ୍ ଲାଇନ୍ ଯାଇଛି। ଯେଉଁଥିପାଇଁ ବର୍ଷାର ପରିମାଣ କମିଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ୪୮ଘଣ୍ଟା ପରେ ବର୍ଷା ପରିମାଣ ବଢ଼ିପାରେ। ୨୬ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ସ୍ବଳ୍ପ ବର୍ଷା ହୋଇପାରେ। ତେବେ ଜୁନ୍ ୩୦ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ।
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ସାରା ଓଡ଼ିଶାକୁ ଛୁଇଁଛି। ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଛତିଶଗଡ଼ ଓ ତା’ର ଆଖପାଖ ଅଞ୍ଚଳରେ ରହିଛି। ତେବେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭବାନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ଜୁନ୍ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଜୁଲାଇ ପ୍ରଥମ ସପ୍ତାହରେ ପାଗରେ ପରିବର୍ତନ ଆସିବ।