କଳାହାଣ୍ଡି ଜୟପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି : ସର୍ବଶିକ୍ଷା ଅଭିଯାନ ଓ ଇପିଏଫ୍ ପାଣ୍ଠିରୁ ୫୮ଲକ୍ଷ ଟଙ୍କା ହଡପ ଅଭିଯୋଗ

36

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୫୮ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ସର୍ବଶିକ୍ଷା ଅଭିଯାନ ଓ ଇପିଏଫ ପାଣ୍ଠିରୁ ହଡପ ହୋଇଛି ଏହି ଟଙ୍କା । ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀଙ୍କ ଆକାଂଉଟକୁ ଏହି ରାଶି ଟ୍ରାନସଫର ହୋଇଛି ।

ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଜୟପାଟଣା ଥାନାରେ ଏତଲା ଦିଆଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସରେ କୌଣସି ଟଙ୍କା ଉଠାଣ ଓ ଟ୍ରାନସଫର ପାଇଁ ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଆକାଂଉଟାଂଟଙ୍କ ଦସ୍ତଖତ ଦରକାର । ଟଙ୍କା ଟ୍ରାନସଫର ବେଳକୁ ଅନଲାଇନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମୋବାଇଲରେ ଓଟିପି ବି ଆସିଥାଏ । ଆଉ ଏହାର ପ୍ରତିବଦଳରେ ଆକାଉଟାଂଟ ଅନଲାଇନରେ ଟଙ୍କା ଟ୍ରାନସଫର କରିଥାନ୍ତି ।

କିନ୍ତୁ ଏହି ଓଟିପି ଆକାଂଉଟାଂଟ କିଭଳି ପାଇଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁର୍ନୀତି ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଛି ଜାଣିନଥିବା କହିଛନ୍ତି । ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆକାଂଉଟାଂଟ ଦେବୀ ପ୍ରସାଦ ପଟ୍ଟନାୟକ ଫେରାର ଅଛନ୍ତି । ତେବେ ତଦନ୍ତ ପୂର୍ବରୁ ଆସିଷ୍ଟାଂଟ ଆକାଉଂଟ ସ୍ୱୀକାର କରିଛନ୍ତି, ତାଙ୍କ ଆକାଉଂଟକୁ ୧୦ ଲକ୍ଷ ଟଂକା ଟ୍ରାନ୍ସଫର ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଘୋଟାଲାର ରାଶି ଆହୁରି ବଢିବା ଆଶଙ୍କା କରାଯାଉଛି ।