କେବଳ ପୁଅ-ବୋହୂ ନୁହଁନ୍ତି ନାତି-ନାତୁଣୀ ବି ବାପାମାଆଙ୍କ ସେବା କରିବାକୁ ବାଧ୍ୟ ! ଉଲ୍ଲଂଘନ କଲେ ହୋଇପାରେ ୬ ମାସ ଜେଲ୍ ଦଣ୍ଡାଦେଶ

8,793

କନକ ବ୍ୟୁରୋ: ଦେଶର ସମସ୍ତ ବରିଷ୍ଠ ନାଗରିକଙ୍କ କଲ୍ୟାଣ ସହ ଜଡିତ ଏକ ବିଲ ଆଣିବାକୁ ଯାଉଛନ୍ତି ମୋଦି ସରକାର । ତେବେ କ୍ୟାବିନେଟ୍ ପକ୍ଷରୁ ମେଂଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଂଟ୍ସ ଆଣ୍ଡ ସିନିୟର ସିଟିଜେନ ଆମେଣ୍ଡେମଂଟ ବିଲ ୨୦୧୯କୁ ମଂଜୁରୀ ମିଳିସାରିଥିବା ବେଳେ ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପନା କରାଯିବ । ତେବେ ଏହି ବିଲଟିକୁ ବରିଷ୍ଠ ନାଗରିକଙ୍କ ଆବଶ୍ୟକତାକୁ ପୁରଣ କରିବା ସହିତ ସେମାନଙ୍କୁ ସୁରକ୍ଷା ଉପବଲ୍ଧ କରାଇଦିଆଯିବ ।

ଏହି ସଂଶୋଧିତ ବିଲରେ ଉଲ୍ଲେଖ ରହିଛି କି, ବରିଷ୍ଠ ନାଗରିକ ତଥା ବୃଦ୍ଧ-ବୃଦ୍ଧାଙ୍କର ଦେଖାରଖାର ପୂରା ଦାୟିତ୍ୱ କେବଳ ସେମାନଙ୍କ ପିଲାମାନଙ୍କ ଉପରେ ନ୍ୟସ୍ତ ହେବନି ବରଂ ପୁଅ ଝିଅ, ନାତି-ନାତୁଣୀ ଏବଂ ଅଣନାତି-ଅଣନାତୁଣୀମାନେ ବି ସେମାନଙ୍କ ସେବା କରିବାକୁ ଆଇନ ଦୃଷ୍ଟିରୁ ବାଧ୍ୟ ହେବେ । ସେହିଭଳି ବରିଷ୍ଠ ନାଗରିକ ଏବଂ ପରିବାର ଲୋକଙ୍କର କଲ୍ୟାଣ ସହ ଜଡିତ ୨୦୦୭ର ବିଲକୁ ବି ସଂଶୋଧନ କରାଯାଉଛି । ଆଉ ଏହି ସଂଶୋଧିତ ବିଲ ଅନୁସାରେ, ପରିବାରରେ ସନ୍ତାନମାନେ କେବଳ ନିଜ ବାପାମାଆଙ୍କର ନୁହେଁ ବରଂ ଶାଶୂ-ଶ୍ୱଶୂରଙ୍କର ସେବା ଶୁଶ୍ରୁଶା କରିବାକୁ ବାଧ୍ୟ ଅଟନ୍ତି । ସେହିଭଳି ଆଇନ ଉଲ୍ଲଂଘନକାରୀଙ୍କୁ ଜେଲ ଦଣ୍ଡାଦେଶ ଭଳି କଠୋର ଦଣ୍ଡ ମିଳିବା ନେଇ ଏହି ବିଲରେ ଉଲ୍ଲେଖ ରହିଛି । ଯାହାକି ପୂର୍ବରୁ ଥିବା ୩ମାସକୁ ବଢାଇ ଦିଆଯାଇ ୬ ମାସ କରାଯାଇଛି । ତେବେ ଏଠାରେ ଦେଖାଶୁଣା ତଥା ସେବା ଶୁଶ୍ରୁଶା ଶଦ୍ଦକୁ ବି ପରିଭାଷିତ କରାଯାଇଛି ।

ଯେଉଁଥିରେ ରହିବା ଏବଂ ସୁରକ୍ଷା ଯୋଗାଇ ଦେବା ବି ସାମିଲ ରହିଛି । ସେହିଭଳି ଭରଣପୋଷଣ ରାଶିକୁ ବରିଷ୍ଠ ନାଗରିକ, ପରିବାର ସଦସ୍ୟ, ସନ୍ତାନ ଏବଂ ସଂପର୍କୀୟଙ୍କ ଆୟକୁ ଆଧାର କରି ସ୍ଥିର କରାଯିବ । ଏହାସହ କୌଣସି ବି ଆବେଦନକୁ ଟ୍ରିବ୍ୟୁନାଲରେ ପହଂଚିବାର ମାତ୍ର ୯୦ ଦିନ ମଧ୍ୟରେ ସମାଧାନ କରିବାର ବ୍ୟବସ୍ଥା ରହିଛି । ଯଦି କୌଣସି ବରିଷ୍ଠ ନାଗରିକଙ୍କର ବୟସ ୮୦ ବର୍ଷରୁ ଅଧିକ ହୋଇଥାଏ ତେବେ ଏହି କ୍ଷେତ୍ରରେ ଏଭଳି ଆବେଦନକୁ ୬୦ ଦିନ ଭିତରେ ସମାଧାନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।