ଆସନ୍ତାକାଲି ମୁକ୍ତ ହେବେ ଭାରତୀୟ ପାଇଲଟ୍ ! ପାକିସ୍ତାନ ସଂସଦରେ ଘୋଷଣା କଲେ ଇମ୍ରାନ୍ ଖାନ୍

813

କନକ ବ୍ୟୁରୋ : ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଗଲା ପାକିସ୍ତାନ୍ । ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।  ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ । ତେବେ ଗତକାଲି ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବା ପରେ ସମସ୍ତ  ଭାରତୀୟ ଭୟଭୀତ ହୋଇପଡ଼ିଥିଲେ । କିପରି ଅଭିନନ୍ଦନ ଭାରତ ଫେରିଲେ ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ । ଅଭିନନ୍ଦନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ଦେଶବ୍ୟାପୀ ଦାବି ହୋଇଥିଲା ।

ଏହା ପୂର୍ବରୁ କେତେକ ସର୍ତ୍ତସହ ତାଙ୍କୁ ଛାଡିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା । କିନ୍ତୁ ପାକିସ୍ତାନ ଆଗରେ ଭାରତ ଦବିଯାଇନଥିଲା ଓ ପାକିସ୍ତାନ ତାଙ୍କୁ ଛାଡିବାକୁ ବାଧ୍ୟ ବୋଲି କହିଥିଲା । ଜେନିଭା କନଭେନସନ ଅନୁସାରେ ପାକିସ୍ତାନ ତାଙ୍କୁ ଛାଡିବା ପାଇଁ ବାଧ୍ୟ ବୋଲି ଭାରତ କହିଥିଲା ।

ସୂଚନାଯୋଗ୍ୟ ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ପାକିସ୍ତାନ ମାଟିରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ ବର୍ଥମାନ । ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା ପାକ ସେନା । ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହୋଇନଥିଲେ, ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ଅଭିନନ୍ଦନ ।