ସୋସିଆଲ ମିଡିଆରୁ ଶ୍ୟାମ ଚାଚାଙ୍କ ସଙ୍ଗୀତ ଶୁଣି ପହଁଞ୍ଚିଲେ ବର୍ଷା । ଜଗନ୍ନାଥଙ୍କ ଭଜନରେ ଭିଜିବା ପରେ ପ୍ଲାଟଫର୍ମ ଦେବାକୁ ଦେଲେ ପ୍ରତିଶ୍ରୁତି । ଦ୍ୱିତୀୟ ସାଲବେଗ ଭାବେ ଜଣାଶୁଣା କଟକର ଦିବ୍ୟାଙ୍ଗ ଅବଦୁଲ ସମଦ ନିଜାମୀ…

314

କନକ ବ୍ୟୁରୋ: ଓଡିଶା ଶୁଣିବ ଶ୍ୟାମ ଚାଚାଙ୍କ ସ୍ୱର । ଆଉ କଟକର ଗୋଟିଏ ଗଳିରେ ଅଟକି ଯିବନି ଚାଚାଙ୍କ ସୁରିଲା ସୁରିଲା ଗୀତ, ହୃଦୟସ୍ପର୍ଶୀ ଜଗନ୍ନାଥ ଜଣାଣ । ୨ୟ ସାଲବେଗ କୁହାଯାଉଥିବା କଟକର ଅବଦୁଲ ସମଦ ନିଜାମୀଙ୍କୁ ଏବେ ଶୁଣିବ ସାରା ଓଡିଶା । କାଳିଆ ପାଇଁ ତାଙ୍କ କଣ୍ଠରୁ ବାହାରୁଥିବା ମନଛୁଆଁ ଭଜନକୁ ମନଭରି ଶୁଣିବେ ଓଡିଶାବାସୀ । କାରଣ ଶ୍ୟାମ ଚାଚା ସଙ୍ଗୀତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୁଯୋଗଟିଏ ଦେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

କଟକ ପ୍ରହରାଜପୁର ସ୍ଥିତ ଚାଚାଙ୍କ ଘରେ ତାଙ୍କୁ ଭେଟି ପ୍ଲାଟଫର୍ମ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ତେବେ ବର୍ଷା କହିଛନ୍ତି ସୋସିଆଲ ମିଡିଆରୁ ଶ୍ୟାମ ଚାଚଙ୍କ ବିଷୟରେ ଶୁଣିଥିଲି ଆଉ ତାଙ୍କ ପାଖରେ ବସି ତାଙ୍କ ହାରମୋନିୟମରୁ ବାହାରୁଥିବା ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣିବା ପରେ ମୁଁ ଭକ୍ତିରେ ଭିଜିଗଲି । ସତରେ ଆଖି ନଥାଇ ବି ଚାଚା ପ୍ରମାଣ କରିଦେଲେ ଯଦି ତୁମେ କିଛି ପାଇବାକୁ ଇଚ୍ଛା କରିଛ ତେବେ ବୟସ ବାଧା ଦେଇପାରିବନି । ତେବେ ଶ୍ୟାମ ଚାଚାଙ୍କୁ ସଙ୍ଗୀତ ଦୁନିଆରେ ଗୋଟେ ପ୍ଲାଟଫର୍ମ ଦେବାକୁ କହିବା ସହ ପୁଣି ନିଜ ବଡପଣ ଦେଖାଇଛନ୍ତି ବର୍ଷା ।

ତେବେ ୫୯ ବର୍ଷର ଶ୍ୟାମ ଚାଚା ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ଅଜଣା ରୋଗ ପରେ ଦୁଇ ଆଖି ହରାଇଥିଲେ ଅବଦୁଲ ଚାଚା । ତେବେ ରେଡିଓ ମରାମତି କରି ପେଟ ପୋଷୁଥିବା ଚାଚା ଶ୍ରୀଜଗନ୍ନାଥଙ୍କ ଜଣେ ବଡ ଭକ୍ତ । ଭିକାରୀ ବଳଙ୍କ ପ୍ରତିଟି ସଙ୍ଗୀତ ଗାଇବାରେ ସେ ମାହିର । ଗାଁ, ଗଣ୍ଡାରେ ହେଉଥିବା ଭଜନ ସମାରୋହରେ ସେ ଗୀତ ଗାଆନ୍ତି । ତେବେ ଭକ୍ତି କବିତା ବି ଲେଖନ୍ତି ଚାଚା । ଶ୍ୟାମ ଚାଚା କୁହନ୍ତି ଆଲ୍ଲା ଓ ଜଗନ୍ନାଥ ମୋ ପ୍ରାଣ । ତାଙ୍କ ପାଇଁ ମୋ ପରିବାର ଚଳୁଛି । ତେବେ ଜଗନ୍ନାଥଙ୍କ ପ୍ରେମରେ ଭିଜି ଭଜନ ଗାଉଥିବା ଶ୍ୟାମ ଚାଚାଙ୍କୁ ୨ୟ ସାଲବେଗ ବି କେହି କେହି କହୁଛନ୍ତି ।

ସେପଟେ ଖାଲି ଶ୍ୟାମ ଚାଚା ନୁହଁନ୍ତି ପୂର୍ବରୁ କୋରାପୁଟର ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇ ଆଦିବାସୀ ଇଲାକାର ଝିଅର ଗୀତକୁ ସାରା ଓଡିଶାରେ ପହଞ୍ଚାଇଥିଲେ । ଆଉ ବଣ ମଲ୍ଲୀକୁ ବଣରେ ଫୁଟି ମଉଳିବାକୁ ଦେଇନଥିଲେ । ଏବେ ବର୍ଷାଙ୍କ ପାଇଁ ଶ୍ୟାମ ଚାଚାଙ୍କୁ ଶୁଣିବ ସାରା ଓଡିଶା ।