ଥାନାକୁ ବି ଆସିଲାନି ବର ! ରାଉରକେଲାରେ ବେଦୀକୁ ଆସିନଥିବା ବରକୁ ସମନ କରିଥିଲା ପୁଲିସ, ଅସୁସ୍ଥତା କାରଣ ଦର୍ଶାଇ ବାପା, ମା’ଙ୍କୁ ପଠାଇ ଦେଲା ଯୁବକ

46

କନକ ବ୍ୟୁରୋ: ଥାନାକୁ ବି ଆସିଲାନି ବର । ରାଉରକେଲାରେ ବେଦୀକୁ ଆସିନଥିବା ବରକୁ ସମନ କରିଥିଲା ପୋଲିସ । ତାକୁ ୧୬ ତାରିଖରେ ଥାନାରେ ଆସି ହାଜର ହେବା ଲାଗି ପୋଲିସ ସମନ କରଥିବାବେଳେ ଅସୁସ୍ଥତା ଦର୍ଶାଇ ରାଉରକେଲା ଥାନାରେ ହାଜର ହୋଇନାହିଁ ବର । ତା ସ୍ଥାନରେ ତାର ବାପା ମାଆ ଆଜି ଥାନାରେ ହାଜର ହୋଇଛନ୍ତି ।

ଗତ କିଛିଦିନ ପୂର୍ବେ ନିର୍ବନ୍ଧ ସରିବା ପରେ ବାହାଘର ପାଇଁ ତାରିଖ ସ୍ଥିିର ହୋଇଥିଲା । ରାଉରକେଲା ଆମ୍ବାଗାନ ଇସ୍ପାତ ଉକ୍ରଳ ବସ୍ତିର ରାମପ୍ରୀତ ପ୍ରସାଦଙ୍କ ବଡଝିଅ ଗୌତମୀ ଥିଲେ କନ୍ୟା । ସେପଟେ ବିହାର ଗୟା ଜିଲ୍ଲା ଟେକାରୀ ଗାଁର ଉଦୟ ମୌର୍ୟ୍ୟଙ୍କ ବଡପୁଅ କୁନ୍ଦନ ଥିଲା ବର । ଇଂଜିନିୟର ଜ୍ୱାଇଁ କରୁଥିବାରୁ ରାମପ୍ରୀତଙ୍କ ପରିବାର ଗୋଡ ତଳେ ଲାଗୁନଥିଲା । ଝିଅଜ୍ୱାଇଁଙ୍କ ପାଇଁ ଉପହାର କିଣା ସରିଥିଲା । ଏପରିକି ବରଯାତ୍ରୀ ଆସିବା ପାଇଁ କନ୍ୟାଘର ପକ୍ଷରୁ ଏକ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଥିଲା । କିନ୍ତୁ ଏତେସବୁ ପରେ ମଧ୍ୟ କନ୍ୟାକୁ ଠକି ଦେଇଥିଲେ ବର । କନ୍ୟାର ଜୀବନ ସହ ଖେଳିଥିଲେ ସାଂଘାତିକ ଖେଳ । କନ୍ୟାଘର ପକ୍ଷରୁ ଅଧିକ ଖୋଳତାଡ କରିବା ପରେ ସାମ୍ନାକୁ ଆସିଥିଲା ସାଂଘାତିକ ସତ । ଇଞ୍ଜିନିୟର ବର ଉତ୍ତରପ୍ରଦେଶର ଅନ୍ୟ ଏକ ଝିଅକୁ ବାହା ହୋଇଥିବା ଜଣାପଡିଥିଲା ।

ଶେଷରେ ଘରକୁ ଫେରିଥିଲା ମଙ୍ଗୁଳା କନ୍ୟା । ବୋକାରୋ ଷ୍ଟିଲ ପ୍ଲାଂଟରେ ଇଂଜିନିୟର ଥିବା କୁନ୍ଦନ ଉତରପ୍ରଦେଶର ଆଉ ଏକ ଝିଅକୁ ବାହା ହୋଇସାରଥିବା ଅଭିଯୋଗ ପରେ ପୁଲିସର ଏକ ଟିମ ଗୟାରେ ଛାନଭିନ କରି ଫେରିଛି । କୁନ୍ଦନ ଫେରାର ଥିବା ବେଳେ ୧୬ ତାରିଖରେ ଥାନାରେ ହାଜର ପାଇଁ ନୋଟିସ ଦେଇଥିଲା ।