କନକ ବ୍ୟୁରୋ : ଦେଶରେ ବିଜେପିର ବିକଳ୍ପ ଭାବେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ପରେ ଏବେ ପଞ୍ଜାବ ଦଖଲ କରି ନିଜର ସ୍ଥିତି ଜାହିର କରିଛି ଆପ୍ । ବିଜେପି ଓ କଂଗ୍ରେସ ପରେ ଆପ ହେଉଛି ଏକମାତ୍ର ଦଳ ଯାହାର କି ଦୁଇଟି ରାଜ୍ୟରେ ଶାସନ ରହିଛି । ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି କହିଛନ୍ତି ଆପ୍ ଓଡିଶାର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର । ଏହି କ୍ରମରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ।

Advertisment

ସାମ୍ବାଦିକ ସମ୍ମଳିନୀ କରି ନିଶିକାନ୍ତ ମହାପାତ୍ର କହିଛନ୍ତି କି, ଏବେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଆମ ସଂପର୍କରେ ରହିଛନ୍ତି । ସେମାନେ ଆମ୍ ଆଦମୀ ପାର୍ଟିକୁ ଓଶିଶାର ବିକଳ୍ପ ଭାବେ ଚିନ୍ତା କରୁଛନ୍ତି । କେବଳ ସେତିକି ନୁହେଁ ସେ ରାଜ୍ୟର ବିଜେପି ଓ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ବିଜେଡି ଓ ବିଜେପି ଗୋଟିଏ ଦଳ । ଉପ ରାଷ୍ଟ୍ରପତି ନିର୍ବାଚନ ହେଉ କି ରାଜ୍ୟ ସଭାରେ କୌଣସି ବିଲ୍ ପାରିତ କରିବା କଥା ହେଉ ଉଭୟ କ୍ଷେତ୍ରରେ ବିଜେଡି ବିଜେପିକୁ ଆକଣ୍ଟ ସମର୍ଥନ ଦେଇ ଏହା ପ୍ରମାଣ କରିଛି ବୋଲି ନିଶିକାନ୍ତ କହିଛନ୍ତି । ଏହାସହ ଉଭୟ ବିଜେପି ଓ ବିଜେଡି ଅଦୃଶ୍ୟ ଭାବେ ମିଳିତ ହୋଇ ରାଜ୍ୟବାସୀଙ୍କ ଆଙ୍କାକ୍ଷା ପୂରଣ କରିବାରେ ବିଫଳ ହୋଇଥିବାରୁ ଆମ୍ ଆଦମୀ ପାର୍ଟି ନିଶ୍ଚିନ୍ତ ଭାବେ ଓଡିଶା ପାଇଁ ବିକଳ୍ପ ବୋଲି ସେ ଦାବି କରିଛନ୍ତି ।

ଏହାର ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି କି ସ୍ୱପ୍ନ ଦେଖିବାକୁ କେହି କାହାକୁ ମନା କରି ନାହାଁନ୍ତି । ହେଲେ ପ୍ରଥମେ ଦିଲ୍ଲୀ ଓ ପଞ୍ଜାବ ସମ୍ଭାଳନ୍ତୁ ତା ପରେ ଅନ୍ୟ ରାଜ୍ୟ ଓ ଦେଶ ସମ୍ଭାଳିବା କଥା ଚିନ୍ତା କରିବେ ବୋଲି ଅପରାଜିତା କହିଛନ୍ତି । ଏହାସହ ଗୋଆର ନିର୍ବାଚନୀ ଫଳାଫଳକୁ ନେଇ ଅପରାଜିତା ଆପ୍ କୁ କଟାକ୍ଷ କରିଛନ୍ତି    ।