ମାଲକାନଗିରିରୁ ଆସିଲା ଅଭାବନୀୟ ଘଟଣା। ଆମ୍ବୁଲାନ୍ସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଅଜଣା ରୋଗରେ ପୀଡ଼ିତ ଯୁବତୀ।

117

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଲାଗିଲା ଆମ୍ବୁଲାନ୍ସ । ଦାବି ନେଇ ଆମ୍ବୁଲାନ୍ସରେ ଆସିଲେ ପୀଡ଼ିତା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୀଡ଼ିତା ଜଣଙ୍କ ମେଡିକାଲରୁ ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଆବାସ ଘର, ପାଇଖାନା ପାଇଁ ରୋଗରେ ପୀଡିତ ଥିବା ଜଣେ ଯୁବତୀ ୧୦୮ ଆମ୍ବୁଲାନ୍ସରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ମାଲକାନଗିରିରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ବର୍ଷ ବର୍ଷ ଧରି ରୋଗରେ ପୀଡିତ ଆଦିବାସୀ ଝିଅ ନିଜ ଉଚିତ ଚିକିତ୍ସା, ଗୋଟିଏ ମଲ୍ଟି ଫୋଲ୍ଡ ଖଟ, ଆବାସ ଘର ଓ କମୋଡ଼ ପାଇଖାନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଛନ୍ତି । କୋରୁକୋଣ୍ଡା ବ୍ଲକ ରଗେଇ ପୁଶପାଲି ଗାଁରେ ବୃନ୍ଦା କବାସୀ ନାମକ ଜଣ ଆଦିବାସୀ ଝିଅ ପଞ୍ଚମ ଶ୍ରେଣୀ ପାଠପଢ଼ା ସମୟରୁ ଅଜଣା ରୋଗରେ ପିଡ଼ିତ ହୋଇଥିଲେ । ସମୟ ଗଡ଼ିବା ସହ ବୃନ୍ଦା ଆଉ ଚାଲିପାରିଲେନି ଧୀରେ ଧୀରେ ସଜ୍ଜାସାୟୀ ହୋଇପଡ଼ିଲେ ।

ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତ କିଛିଦିନ ତଳେ ବୃନ୍ଦାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରୁ ଫେରିବା ବାଟରେ ସେହି ଆମ୍ବୁଲାନ୍ସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୀଡ଼ିତା । ୨ବର୍ଷ ହେବ ସେ ନିଜ ଦୈନଦିନ ସୁବିଧା ପାଇଁ ପ୍ରଶାସନକୁ ଦାବି କରୁଥିଲେ । ହେଲେ ତାଙ୍କୁ ୫ କିଲୋ ଚାଉଳ ବଦଳରେ ୩୫ କିଲୋ ଚାଉଳ ଯୋଗାଇ ଦିଆଯାଇଥିଲା । ହେଲେ ଅନ୍ୟ କିଛି ସୁବିଧା ମିଳିନଥିଲା । ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ ପୀଡ଼ିତା । ଆମ୍ବୁଲାନ୍ସରେ ରୋଗୀ ଆସିଥିବା ଖବର ପାଇ ତୁରନ୍ତ ଅତିରିକ୍ତ ଜିଲ୍ଲାପାଳ ଆସି ବୃନ୍ଦାଙ୍କୁ ଭେଟିଥିଲେ । ବୃନ୍ଦାଙ୍କ କଥା ଶୁଣିବା ପରେ ତାଙ୍କୁ ଗୋଟିଏ ହ୍ୱିଲ ଚେୟାର, ପାଇଖାନା ଯୋଗାଇ ଦିଆଯାଇଛି ।