କଷ୍ଟ କଲେ କୃଷ୍ଣ ମିଳେ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଆନ୍ଧ୍ରର ଯୁବ ଚାଷୀ । ଅଲୋଡା ପଡିଆ ଜମିରେ ନିଜ ପରିଶ୍ରମରେ ଫଳାଇଛନ୍ତି ସୁନା

185

କନକ ବ୍ୟୁରୋ : ଆମ ରାଜ୍ୟରେ ଅଲୋଡା ହୋଇ ପଡିଆ ପଡିଥିଲା ଜମି । ଏହି ଅବ୍ୟବହୃତ ଜମିରେ ସୁନା ଫଳାଇଲେ ଆନ୍ଧ୍ରର ଯୁବଚାଷୀ । ପିଜୁଳି ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦେବାର ମାଧ୍ୟମ ସାଜିଛନ୍ତି । ଦେଖନ୍ତୁ, ଓଡିଶା ମାଟିରେ ଆନ୍ଧ୍ର ଚାଷୀଙ୍କ ସଫଳତାର କାହାଣୀ ।

ଧାନ, କପା ଓ ପନିପରିବା ଚାଷ କରି ନିଜର ଗୁଜୁରାଣ ମେଂଟାଇଥାନ୍ତି ରାୟଗଡା ଜିଲ୍ଲାର ଅନେକ ଅଧିବାସୀ । ତେବେ ଏଠାକାର ଜଳବାୟୁ କେବଳ ଯେ କପା, ଧାନ ଚାଷ ପାଇଁ ଉଦ୍ଦିଷ୍ଟ, ତାହା ନୁହେଁ, ଏଠାରେ ମଧ୍ୟ ବିଭିନ୍ନ ପ୍ରକାର ଫଳ ଚାଷ ହୋଇପାରିବ, ତାହା ପ୍ରମାଣ କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ଆସିଥିବା ଜଣେ ଯୁବଚାଷୀ ଶିବା ରେଡ୍ଡି । ଆନ୍ଧ୍ରର ଜଳବାୟୁ ଅନୁସାରେ ପିଜୁଳି ଭଲ ଉତ୍ପାଦନ ହେଉଥିବା ବେଳେ ପଡ଼ୋଶୀ ରାଜ୍ୟର ଜଳବାୟୁ ସହିତ ପ୍ରାୟ ସମାନ ରହୁଥିବାରୁ ନିଜ ଅନୁଭୁତିକୁ ପ୍ରୟୋଗ କରି ପିଜୁଳି ଚାଷ କରି ସେ ସଫଳ ହୋଇଛନ୍ତି । ଦୁଇ ବର୍ଷ ତଳେ ରାମନାଗୁଡା ବ୍ଲକ ତୁମ୍ବାକଣା ଅଂଚଳରେ ଥିବା ୧୦ଏକର ପରିମିତ ଜମିରେ ପିଜୁଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଇଛନ୍ତି ଶିବା ରେଡି ।

ଉତ୍ପାଦିତ ହେଉଥିବା କୁଇଂଟାଲ କୁଇଂଟାଲ ପିଜୁଳି ନିକଟସ୍ଥ ବଜାର ଗୁଣପୁର ସହର ସମେତ ବ୍ରହ୍ମପୁର, ଭବାନୀପାଟଣା, ରାୟଗଡା ଭଳି ବିଭିନ୍ନ ଅଂଚଳକୁ ପଠାଉଛନ୍ତି ଶିବା ରେଡି । ଅନ୍ୟପଟେ କରୋନା ମହାମାରୀ ଯୋଗୁଁ ରୋଜଗାର ହରାଇଥିବା ଶ୍ରମିକମାନେ ମଧ୍ୟ ନିଜ ଅଂଚଳରେ କାମ ପାଇ ବେଶ ଖୁସି ଥିବା କହିିଛନ୍ତି ।

ପୂର୍ବରୁ ଗୁଣପୁର ଅଂଚଳର ବ୍ୟବସାୟୀମାନେ ପିଜୁଳି ପାଇଁ ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ରାମନାଗୁଡା ଅଂଚଳରୁ ଉତ୍ପାଦିତ ହେଉଥିବା ପିଜୁଳି ସେମାନଙ୍କ ଚାହିଦା ମେଂଟାଉଛି । ଏଠାରେ ହେଉଥିବା ପିଜୁଳି ଗ୍ରାହକଙ୍କ ପସନ୍ଦ, ସ୍ୱଳ୍ପ ଦର ଓ ସ୍ୱାଦିଷ୍ଟ ରହୁଥିବାରୁ ସ୍ଥାନୀୟ ଫଳ ବ୍ୟବସାୟୀମାନେ ଅଧିକ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ବୋଲି କହିଛନ୍ତି ।

କେବଳ ପାରମ୍ପରିକ ଚାଷ ନକରି ଜଳବାୟୁ ଅନୁସାରେ ଚାଷ କଲେ ସଫଳତା ମିଳିପାରିବ ବୋଲି ପ୍ରମାଣ କରିଛନ୍ତି ଆନ୍ଧ୍ରର ଏହି ଯୁବଚାଷୀ ଶିବା ରେଡି । ସ୍ଥାନୀୟ ଅଂଚଳର ଯୁବକମାନଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା ।

Comments are closed.