କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ିଛି ରୋଜଗାରିଆ ପୁଅ। ସଦାନନ୍ଦ ମଲ୍ଲିକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

95

କନକ ବ୍ୟୁରୋ: ଦିନେ ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚଳାଉଥିଲେ । ପାଞ୍ଚ ପ୍ରାଣୀଙ୍କୁ ଆହର ଯୋଗାଉଥିଲେ । ହେଲେ ଏବେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଯାଜପୁର ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗାଁର ସଦାନନ୍ଦ ମଲ୍ଲିକ । ହଠାତ୍ ଗୋଟିଏ ପଟ ଅଙ୍ଗ ସମ୍ପୂର୍ଣ୍ଣ ପାରାଲିସିସ୍ ହେବା ପରେ ସେବେଠାରୁ ଘରେ ପଡ଼ିରହିଛନ୍ତି ସଦାନନ୍ଦ । ଆଉ ଡାକ୍ତରୀ ପରୀକ୍ଷା କରିବା ପରେ ଜଣାପଡିଲା ଦୁଇଟି ଯାକ କିଡନୀ ଖରାପ । ସେବେଠାରୁ ଘରେ ରୋଗ ଯନ୍ତ୍ରଣାରେ ଦିନ କାଟୁଛନ୍ତି ସଦାନନ୍ଦ । ଅର୍ଥ ଅଭାବରୁ ଠିକ୍ ଭାବେ ଚିକିତ୍ସା ମଧ୍ୟ ହୋଇପାରୁନାହିଁ ।

ଗ୍ରାମବାସୀଙ୍କ ସହଯୋଗରେ ଚାଲିଛି ଚିକିତ୍ସା । ସ୍ତ୍ରୀ ସବିତା ମଲ୍ଲିକ ସ୍ୱାମୀଙ୍କୁ କିଡନୀ ଦେବା ପାଇଁ ପ୍ରସ୍ତୁତ ଥିବା ବେଳେ ଏଥିପାଇଁ ଦରକାର ଲକ୍ଷାଧିକ ଟଙ୍କା । ଯାହା ସେମାନଙ୍କ ପକ୍ଷେ ଯୋଗାଡ଼ କରିବା ଅସମ୍ଭବ । ବାପା, ମା’,ସ୍ତ୍ରୀ ଓ ଝିଅକୁ ନେଇ ବେଶ ହସ ଖୁସିରେ ଚାଲିଥିଲା ସଂସାର । ହେଲେ ହଠାତ୍ ସଦାନନ୍ଦ ଅସୁସ୍ଥତା ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଛି । ପରିବାର ଚଳାଉଥିବା ପୁଅ ଘରେ ରୋଗାକ୍ରାନ୍ତ ହୋଇପଡ଼ିଥିବା ବେଳେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ଅଭାବ ଅନଟନ ଭିତର ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ବି ନାହିଁ । ମାଟି ଝାଟିର ଚାଳ ଛପର ଘରେ ରହୁଛନ୍ତି ସଦାନନ୍ଦଙ୍କ ପରିବାର । ତେବେ ଏଭଳି ସ୍ଥିତିରେ ସରକାର କିମ୍ବା କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢ଼ାଇଲେ ତାଙ୍କ ପୁଅ ଭଲ ହୋଇପାରନ୍ତା ବୋଲି କହିଛନ୍ତି ସଦାନନ୍ଦଙ୍କ ମା’ ।

ସଦାନନ୍ଦ ମଲ୍ଲିକଙ୍କ ସହଯୋଗ କରିବାକୁ ଚାହୁଁଥିଲେ ତାଙ୍କ ACCOUNT NO ହେଲା-୨୦୩୪୭୦୪୫୭୯୯, IFSC CODE: SBIN0013595, PHONE-୬୩୮୧୫୪୫୦୬୮ ନମ୍ବରରେ ଆପଣାମାନେ ଯୋଗାଯୋଗ କରିପାରିବେ ।