ବିଶ୍ୱ କିଡନୀ ଦିବସରେ ଉଦବେଗ: କିଡନୀ ରୋଗରେ ଆକ୍ରାନ୍ତ ଗୋଟିଏ ଗାଁ!

136

କନକ ବ୍ୟୁରୋ: ନୁଆଁଣିଆ ଭଙ୍ଗା ଚାଳଛପର ଘରେ ରହୁଥିବା ଏହି ଲୋକଙ୍କୁ ଦେଖନ୍ତୁ । ଅବୁଝା କାଗଜପତ୍ର ଭିତରୁ ମେଡିକାଲ ରିପୋର୍ଟକୁ ଖୋଜୁଥିବା ଏହି ମହିଳାଙ୍କ ଉପରେ ନଜର ପକାନ୍ତୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁଷିତ ପାଣି ଓ ଅପରିସ୍କାର ପରିବେଶ ଯୋଗୁଁ କିଡ୍ନୀ ରୋଗରେ ଆକ୍ରନ୍ତ ଗୋଟିଏ ଗାଁ ।

ରାଜ୍ୟର ଅନ୍ୟତମ ଉନ୍ନତ ଅଂଚଳ କଳିଙ୍ଗନଗର ଶିଳ୍ପାଂଚଳ ନିକଟରେ ଥିବା ଏହି ଗାଁ ଯାଜପୁର ଜିଲ୍ଲାର ଗୋଲାଗାଁ । ଏହି ଗାଁର ଅଧିକାଂଶ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ମାମଲା ହାଇକୋର୍ଟରେ ପହଂଚିଥିଲା । ସ୍ଥାନୀୟ ସାମାଜିକ କର୍ମୀ ମଂଟୁ ଦାସଙ୍କ ଆବେଦନର ଶୁଣାଣି କରି ତୁରନ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଅଭିନେତା ରୁଦ୍ର ନିଜକୁ ଫିଟ୍ ରଖିବା ପାଇଁ ଜିମରେ ଝାଳ ବୁହାନ୍ତି । ଶରୀରର ପ୍ରୋଟିନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ପ୍ରୋଟିନ ପାଉଡର ବି ଖାଆନ୍ତି । କିନ୍ତୁ ଆବଶ୍ୟକତା ମୁତାବକ । ବିଶେଷଜ୍ଞଙ୍କ କହିବା ହେଲା ଅଳ୍ପ ପରିଶ୍ରମରେ ବଡି ବିଲଡର ହେବାର ନିଶାରେ ପଡି ଅନେକ ପ୍ରୋଟିନ ପାଉଡର ଖାଉଛନ୍ତି । ଯାହା ସେମାନଙ୍କ କିଡନୀ ଉପରେ ଖାରପ ପ୍ରଭାବ ପକାଉଛି ।

ଦେହ ବିନ୍ଧା ଛିଟକା ହେଲେ ଆମେ ଡାକ୍ତରଙ୍କ ବିନା ପରାମର୍ଶରେ ପେନ କିଲର ଔଷଧ ଖାଇବାର ଅଭ୍ୟାସ ରହିଛି । କିନ୍ତୁ ଏସବୁ ନିୟମିତ ଖାଇଲେ କିଡନୀ ନଷ୍ଟ ହୋଇପାରେ । ଏଥିସହ ଧୁମପାନ କରୁଥିବା ଲୋକଙ୍କୁ ସଜାଗ କରିଦେଇଛନ୍ତି ନେଫ୍ରୋଲୋଜି ବିଶେଷଜ୍ଞ ।

ଦୀର୍ଘ ଦିନ ଧରି ଡାଇବେଟିସ ଥିବା ଲୋକଙ୍କର ମଧ୍ୟ କିଡନୀ ନଷ୍ଟ ହେବା ଆଶଙ୍କା ରହିଛି । ତେଣୁ ନିୟମିତ ସୁଗାର ପରୀକ୍ଷା କରାଇନେବାକୁ ପରାମର୍ଶ ଦିଆଯାଇଛି । ଦିନକୁ ଦିନ ବଦଳୁଥିବା ଲାଇଫ ଷ୍ଟାଇଲ ବି କିଡନୀ ନଷ୍ଟ କରିପାରେ ବୋଲି ବିଶେଷଜ୍ଞଙ୍କ ମତ । ଯାଜପୁରରୁ ଅନୀଲ ପଣ୍ଡା ଓ ଭୁୁବନେଶ୍ୱରରୁ କ୍ୟାମେରାମ୍ୟାନ ବାଣୀନନ୍ଦନଙ୍କ ସହ ଅନୁଜ ଦାସ, କନକ ନ୍ୟୁଜ ।