ପକ୍ଷୀକୁ ବଞ୍ଚାଇବାକୁ ଯାଇ, ଠକାମୀର ଶିକାର । ମହିଳାଙ୍କଠୁ ୧ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

588

କନକ ବ୍ୟୁରୋ : ଆପଣ କେବେ ଏଭଳି ଘଟଣା ବାବଦରେ ଶଣିଛନ୍ତି କି? କିଏ କେବେ କାହାକୁ ସାହାଯ୍ୟ କରିବାକୁ ଯାଇ ସାଇବର ଠକାମୀର ଶିକାର ହୋଇଛନ୍ତି । ଠିକ୍ ଏହିଭଳି ଏକ ଘଟଣା ଘଟିଛି ମୁମ୍ବାଇରେ । ମୁମ୍ବାଇର ଜଣେ ୩୦ ବର୍ଷିୟା ମହିଳା ଏକ ଆହତ ପକ୍ଷୀକୁ ବଞ୍ଚାଇବାକୁ ଯାଇ ୧ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି । ପକ୍ଷୀକୁ ଚିକିତ୍ସା କରିବାରେ କୌଣସି ଟଙ୍କା ଖର୍ଚ୍ଚ ହୋଇନାହିଁ । ମହିଳା ଜଣକ ସାଇବର ଠକାମୀର ଶିକାର ହୋଇଛନ୍ତି । କେମିତି ପକ୍ଷୀକୁ ବଞ୍ଚାଇବାକୁ ଯାଇ ମହିଳା ସାଇବର ଠକଙ୍କ ଜାଲରେ ଫସିଥିଲେ ଆସନ୍ତୁ ଜାଣିବା ।

ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବା ପାଇଁ ସାଇବର ଠକମାନେ ସବୁବେଳେ ନୂଆ ନୂଆ ଜାଲ ବିଛାଇଥାନ୍ତି । ଏଠି ମଧ୍ୟ ଠିକ୍ ସେହିଭଳି ଭାବେ ଜାଳ ବିଛାଇଥିଲେ ସାଇବର ଠକ, ଯେଉଁଥିରେ ମୁମ୍ବାଇର ଏକ ମହିଳା ଫସିଯାଇଛନ୍ତି । ଠକାମୀର ଶିକାର ହୋଇଥିବା ମହିଳାଙ୍କ ନାଁ ହେଉଛି ଧ୍ୱନୀ । ସେ ଏକ ଅନ୍ତରାଷ୍ଟ୍ରିୟ ଫିଲ୍ମ ଷ୍ଟୁଡିଓର କର୍ମଚାରୀ ଅଟନ୍ତି । ତେବେ ସେ ସକାଳୁ ଉଠି ଅଫିସ ଯାଉଥିବା ବେଳେ ରାସ୍ତାରେ ଏକ ଆହତ ପକ୍ଷୀକୁ ଦେଖିଥିଲେ । ପକ୍ଷୀର ଜୀବନ ବଞ୍ଚାଇବା ପାଇଁ ଚାହିଁଥିଲେ ଧ୍ୱନୀ । ସେଥିଲାଗି ଧ୍ୱନୀ ଗୁଗୁଲରେ ଆନିମଲ୍ ରେସକ୍ୟୁ ସଂଗଠନ ସର୍ଚ୍ଚ କରିଥିଲେ । ଗୁଗୁଲରେ ଆନିମଲ ରେସକ୍ୟୁ ଟିମ୍ ଡଟ୍ କମ୍’ ନାଁରେ ଏକ ୱେବସାଇଟ୍ ମିଳିଥିଲା । ୱେବସାଇଟରେ ଏକ ନମ୍ବର ଦିଆଯାଇଥିଲା । ମହିଳା ଜଣକ ୱେବସାଇଟରେ ଉପଲବ୍ଧ ଥିବା ନମ୍ବରରେ କଲ୍ କରିଥିଲେ । କଲରେ ମହିଳାଙ୍କୁ କୁହାଗଲା ସାହାଯ୍ୟ ଖୁବଶୀଘ୍ର ଆପଣଙ୍କ ନିକଟରେ ପହଞ୍ଚିଯିବ । କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଏକ ଫର୍ମ ଭରିବାକୁ ପଡିବ ।

କେବଳ ଏତିକି ନୁହେଁ ମହିଳାଙ୍କୁ କୁହାଯାଇଥିଲା, ଫର୍ମ ଭରିବା ପରେ ଏକ ଟଙ୍କା ଦେଇ ରେଜିଷ୍ଟେସନ୍ କରିବାକୁ ପଡିବ । ଆପଣ ଫର୍ମ ଭରି ରେଜିଷ୍ଟେସନ୍ କରନ୍ତୁ ଆପଣଙ୍କ ପାଖରେ ସହାୟତା ଶୀଘ୍ର ପହଞ୍ଚୁଛି । ମହିଳା ଜଣକ ଠକର କଥାରେ ରାଜି ହୋଇ ଫର୍ମ ଭରିବା ସହ ୧ଟଙ୍କା ଅନଲାଇନରେ ପେମେଣ୍ଟ୍ କରି ରେଜିଷ୍ଟେସନ୍ କରିଥିଲେ । ସମୟ ପରେ ସମୟ ଗଡି ଚାଲିଲା କିନ୍ତୁ କୌଣସି ସହାୟତା ପହଞ୍ଚିନଥିଲା । ପରେ ଧ୍ୱନୀ ଅଫିସରୁ ସଂଧ୍ୟାରେ ଘରକୁ ଫେରୁଥିଲେ, ଅଚାନକ ମହିଳାଙ୍କ ଫୋନକୁ ଏକ ମେସେଜ୍ ଆସିଲା । ଯେଉଁଥିରେ ମହିଳାଙ୍କ ଆକାଉଣ୍ଟରୁ ୯୯,୯୮୮ଟଙ୍କା ଗାୟବ ହୋଇଯାଇଥିଲା । ସାଇବର୍ ଠକ ମହିଳାଙ୍କ ଆକାଉଣ୍ଟକୁ ପୂରା ଖାଲି କରିଦେଇଥିଲା ।

ତେବେ ଠକାମୀର ଶିକାର ହେବା ପରେ ମହିଳା ଜଣକ ଥାରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ ତଦନ୍ତ ପରେ ଜଣାପଡିଥିଲା, ମହିଳା ଜଣକ ଭୁଲରେ ସାଇବର ଠକକୁ ତାଙ୍କ ୟୁପିଆଇ ପିନ୍ ଦେଇଦେଇଥିଲେ । ମହିଳା ଜଣକ ଫର୍ମ ଭରିବା ସମୟରେ ହିଁ ଏହି ଭୁଲ କରିଥିଲେ ।