ନିଆରା ଏକ ଲଭ୍ ଷ୍ଟୋରୀ । ସଫେଇ କର୍ମଚାରୀଙ୍କୁ ବାହାହେଲେ ମହିଳା ଡାକ୍ତର

1,594

କନକ ବ୍ୟୁରୋ: ଚର୍ଚ୍ଚାରେ ପାକିସ୍ତାନ ଦମ୍ପତ୍ତିଙ୍କ ପ୍ରେମ କାହାଣୀ । ସଫେଇ କର୍ମଚାରୀଙ୍କ ବିବାହ କଲେ ଏମବିବିଏସ୍ ମହିଳା ଡାକ୍ତର । ହସ୍ପିଟାଲରୁ ମନ ଦିଆନିଆ ତା ପରେ ବିବାହ । କୁହାଯାଏ ପ୍ରେମର ସଂଜ୍ଞା ନାହିଁ । ଏଥିରେ ନଥାଏ ଉଚ୍ଚନିଚ୍ଚର ବିଚାର । ନା ଧନଦୌଲତର ବାହାସ୍ପୋଟ । ଇଏ ତ ହୃଦୟ ସହ ହୃଦୟର ବନ୍ଧନ । କିଏ କାହାକୁ କେଉଁ ପରିସ୍ଥିତିରେ ହୃଦୟ ଦେଇ ବସେ କହିହୁଏନା ।

ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରେମ କାହାଣୀ ଆପଣ ହୁଏତ ଶୁଣିଥିବେ ।ହେଲେ ଇଏ ଆଉ ଏକ ନିଆରା ପ୍ରେମ କାହାଣୀ । ଯେଉଁଠି ପ୍ରେମିକା ଉଚ୍ଚ ଶିକ୍ଷିତା ହେଲେ ପ୍ରେମିକ ଜଣେ ସଫେଇ କର୍ମଚାରୀ, ଯାହା ସୋସିଆଲ ମିଡିଆରେ ଏବେ ବେଶ୍ ପ୍ରଶଂସା ସାଉଁଟୁଛି । ଚାରିଆଡୁ ଏହି ଦମ୍ପତ୍ତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ପ୍ରେମୀ ଯୁଗଳ ହେଉଛନ୍ତି ପାକିସ୍ତାନର, ଯିଏ ଏବେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ।

ଜୀବନର ଗୋଟିଏ ବଡ ନିଷ୍ପତ୍ତି ମାତ୍ର କେଇ ଘଣ୍ଟାରେ ନେଇଗଲେ ଯୁବତୀ । ଆମେ କହୁଛୁ ପାକିସ୍ତାନର ମହିଳା ଡାକ୍ତର କିଶ୍ୱର ସାହିବାଙ୍କ କଥା । କିଶ୍ୱର ପେଶାରେ ଜଣେ ଡାକ୍ତର, ଯିଏ ଜଣେ ସଫେଇ କର୍ମଚାରୀ ସହଜାଦଙ୍କୁ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦୁହିଁଙ୍କ ପ୍ରେମ କାହାଣୀ ଭାରି ମଜାଦାର ।
ଗଣମାଧ୍ୟମର ଜଣେ ସଦସ୍ୟ ଏହି ଦମ୍ପତ୍ତିଙ୍କୁ ଭେଟିଥିଲେ । ତାଙ୍କ କହିବା ଅନୁସାରେ । କିଶ୍ୱର ଯେଉଁ ହସ୍ପିଟାଲରେ ଡାକ୍ତର ଥିଲେ, ସେହିଠାରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ଶହଜାଦ୍ । ଶହଜାଦ୍ ସେଠାରେ ୩ଜଣ ଡାକ୍ତରଙ୍କ ପାଖରେ ଡ୍ୟୁଟି କରୁଥିଲେ । ସେମାନଙ୍କ ରୁମ ସଫା କରିବା ସହ ସେମାନଙ୍କୁ ଚା’ ନେଇ ଦେଉଥିଲେ । ତଳିଆ କର୍ମଚାରୀ ହେଲେ ବି ନିଜ କାମରେ କିନ୍ତୁ ପୁରା ପକ୍କା ଥିଲେ ଶହଜାଦ୍ । ଅତି ନିଷ୍ଠାର ସହ ନିଜ କାମକୁ ତୁଲାଉଥିଲେ । ତାଙ୍କର ନିଷ୍ଠାପରତା ଦେଖି ଶହଜାଦଙ୍କୁ ମନ ଦେଇବସିଲେ ଡାକ୍ତର କିଶ୍ୱର । ଦିନେ ଶହଜାଦଙ୍କୁ ଫୋନ ନମ୍ବର ମାଗିଥିଲେ । ଆଉ ପରେ ପରେ ତାଙ୍କର ଏକ ଷ୍ଟାଟସକୁ ଲାଇକ୍ ବି କରିଥିଲେ । ହେଲେ ଏସବୁକୁ ହାଲକା ଭାବେ ନେଇଥିଲେ ଶହବାଜ୍ ।

କିଛି ଦିନ ଯିବା ପରେ କୌଣସି କାରଣରୁ ଶହବାଜ୍ ଛୁଟିରେ ଥିଲେ ବି ତାଙ୍କୁ ଫୋନ କରି ଡାକିଥିଲେ କିଶ୍ୱର ଆଉ ମନ କଥା କହିଦେଇଥିଲେ । ଏହାକୁ ଆଦୌ ବିଶ୍ୱାସ କରିପାରୁନଥିଲେ ଶହବାଜ୍ । ଏହାପରେ ଅନେକ ଦିନ ଛୁଟିରେ ଘରେ ରହିଲେ । କାରଣ ସେ ଜଣେ ସଫେଇ ର୍କଚାରୀ ହୋଇ ଜଣେ ଡାକ୍ତର ତାଙ୍କୁ ପ୍ରପୋଜ୍ କରିବା ଘଟଣା ତାଙ୍କର ହଜମ ହେଉନଥିଲା । ଏହି ଘଟଣାକୁ ନେଇ ତାଙ୍କ ଦେହ ବି ଖରାପ ହୋଇଯାଇଥିଲା । କିଛି ମାସ ଛୁଟିରେ ରହି ସୁସ୍ଥ ହେବା ପରେ ହସ୍ପିଟାଲରେ କାମରେ ଯୋଗ ଦେଇଥିଲେ ଏବଂ ଡାକ୍ତର ମାଡାମଙ୍କ ରୁମକୁ ଯାଇଥିଲେ । ଅବଶ୍ୟ ପରେ ଡାକ୍ତରାଣୀଙ୍କ ପ୍ରେମକୁ ଗ୍ରୀନ୍ ସିଗନାଲ ଦେଇଥିଲେ ଶହନାଜ୍ । ଆଉ ସହଯୋଗୀଙ୍କ ଅନେକ ଟାହିଟାପରା ପରେ ବି ଦୁହେଁ ଦୁହିଁଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଏବେ ଡାକ୍ତର କିଶ୍ୱର ନିଜ ପରିବାରକୁ ନେଇ ବ୍ୟସ୍ତ । ସହକର୍ମୀଙ୍କ ଟାହିଟାପରା ଯୋଗୁଁ ଚାକିରି ଛାଡିବା ପରେ ଏବେ ଏକ କ୍ଲିନିକ୍ ଖୋଲି ରୋଗୀ ସେବା କରିବାକୁ ଚେଷ୍ଟା କରୁଛନ୍ତି ଡାକ୍ତର କିଶ୍ୱର ।