ଚାଲିଗଲା ଚାକିରି, ବଦଳିଗଲା ଭାଗ୍ୟ । ଲକଡାଉନରେ ଚା’ ବିକି ସଫଳ ବ୍ୟବସାୟୀ ହେଲେ ସିକ୍ୟୁରିଟି ଗାର୍ଡ । କ୍ୟାଫେ କଫି ଖୋଲି ପାଲଟିଗଲେ ଉଦାହରଣ ।

363

କନକ ବ୍ୟୁରୋ: ଫୋନ କରନ୍ତୁ ଚା ପିଅନ୍ତୁ । ଚାଲୁ ଚାଲୁ ବି ମିଳିବ ଚା । ଏବେ ଗୋଟିଏ ଫୋନ କଲରେ ଆପଣଙ୍କ ପାଖକୁ ଚାଲିଚାଲି ଆସିବ ଚା । କଥାଟା ଟିକେ ମଜାଳିଆ ଲାଗୁଥିଲେ ବି କାହାଣୀ କିନ୍ତୁ ସତ । କାରଣ ଏ ଚା’ର ନାଁ ରଖାଯାଇଛି ଚାଲତା ବୋଲତା ଚା । ଜଣେ ସିକ୍ୟୁରିଟି ଗାର୍ଡରୁ କଫି କାଫେ ମାଲିକ ବନିଥିବା ଏ ଯୁବକ ଅନଲାଇନ ବ୍ୟବସାୟ ପାଇଁ ଏମିତି ନାମକରଣ କରିଛନ୍ତି ।

କୁହାଯାଏ ସମୟ ସବୁକିଛି ବଦଳାଇଦିଏ । ରାସ୍ତା କଡର ମଣିଷକୁ ବି ମାଲିକ କରିଦିଏ । ସେମିତି ଏକ କାହାଣୀ ଆସିଛି ପୁଣେ ସହରରୁ । ଯେଉଁଠି ରେବାନ ସିନ୍ଦେ ନାମକ ଜଣେ ୨୮ ବର୍ଷୀୟ ଯୁବକ ସାଧାରଣ ସିକ୍ୟୁରିଟି ଗାର୍ଡରୁ କଫି ସପର ମାଲିକ ବନିଛନ୍ତି । ଆଉ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ତେବେ କରୋନା କଟକଣା ପାଇଁ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ଠିକ ସେିତିବେଳେ ଏକ କମ୍ପାନୀରେ ସିକ୍ୟୁରିଟି ଭାବେ କାମ କରୁଥିବା ରେଭାନଙ୍କ ଚାକିରି ଚାଲିଗଲା । ଆଉ ଚାକିରି ହରାଇବା ପରେ ଚା ବିକି ପେଟ ପୋଷିବାକୁ ମନସ୍ତ କରିଥିଲେ ସେ । ତେବେ ଲକଡାଉନ ହିଁ ଉକ୍ତ ଯୁବକଙ୍କ ଲକ ବଦଳାଇଦେଲା । ଅନଲାଇନରୁ ଆରମ୍ଭ କରିଥିବା ଚା ବ୍ୟବସାୟ ଧିରେ ଧିରେ ବଢିବାକୁ ଲାଗିଲା । ଆଉ ଏବେ ଧିରେ ଧିରେ ଯେତେବେଳେ ଅଫିସ କିମ୍ବା ବଡ ବଡ ମାର୍କେଟ ଖୋଲିଲା ତାଙ୍କ ବ୍ୟବସାୟ ଭଲରେ ଚାଲିଲା । ଆଉ ସେ ଏହି କାଫେ ୧୮ର ମାଲିକ ବି ବନିଗଲେ ।

ଫୁଟ ଡେଲିଭରି ପରି ଚା ଡେଲିଭରି କରୁଛନ୍ତି ରେଭାନ । ନିଜ କାଫେରେ ଗରମାଗରମ ଚା କରି ବାଇକରେ ବୁଲିବୁଲି ଦେଉଛନ୍ତି ତାଙ୍କ କର୍ମଚାରୀ । ତେବେ ଦୁଇ କପ ଚାରୁ ଆରମ୍ଭ ହୋଇଥିବା ବ୍ୟବସାୟ ଆଜି ୬୦୦ରୁ ୭୦୦ରେ ପହଞ୍ଚିଛି । ଦିନକୁ ପାଖାପାଖି ୭୦୦ କପ କଫି ଆଉ ଚା ବିକ୍ରି ହେଉଥିବା ବେଳେ ମାସକୁ ୫୦ରୁ ୬୦ ହଜାର ଟଙ୍କା ଲାଭ ହେଉଛି । ତେବେ ରେଭାନଙ୍କ ଏ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ଲକଡାଉନ କେମିତି ଲକ ବଦଳାଇଦିଏ ପୁନେର ଏ ଯୁବକ ବଡ ଉଦାହରଣ ।