ଆଦିବାସୀ ଗାଁର ସଫଳ ଚାଷୀ । ଗୋଲାପ ଫୁଲ ବିକ୍ରି କରି ଦିନକୁ ୨ ହଜାର ଯାଏଁ କରୁଛନ୍ତି ରୋଜଗାର ।  

125

କନକ ବ୍ୟୁରୋ : ଗୋଲାପ ଦେଇଛି ରୋଜଗାର । ଗୋଲାପ ଫୁଲ ବିକ୍ରି କରି ସ୍ୱାବଲମ୍ବୀ ଏବେ ଆଦିବାସୀ ଅଂଚଳର ଚାଷୀ । ଦୈନିକ ୧ ହଜାରେରୁ ୨ ହଜାର ଟଙ୍କା ଯାଏଁ ଗୋଲାପ ଫୁଲ ବିକ୍ରି କରି ଆର୍ଥିକସ୍ତରରେ ବେଶ୍ ସ୍ୱଚ୍ଛଳ ହୋଇପାରିଛନ୍ତି ଆଦିବାସୀ ଗାଁ ର ସଫଳ ଗୋଲାପୀ ଚାଷୀ ସୁନୁ କୁମୁଡା । ପ୍ରଶାସନ ତରଫରୁ ପ୍ରାଥମିକ ଭାବେ ଏମଜିଏନଆରଜିଏସ୍ ମାଧ୍ୟମରେ ଅନୁଦାନ ଦେଇ ସନୁଙ୍କୁ ସ୍ୱାବଲମ୍ବୀ କରିଥିଲା ଜଳଛାୟା ପ୍ରକଳ୍ପ । ଏବେ କିନ୍ତୁ ବଢିଛି ଗୋଲାପ ଫୁଲର ଚାହିଦା । ସନୁଙ୍କ ନର୍ସରୀରୁ ଅନ୍ୟ ଜିଲାକୁ ଯାଉଛି ଗୋଲାପ ଫୁଲ ।

ରୋଜଗାର ଦେଇଛି ଗୋଲାପ । ଆର୍ଥିକ ସ୍ଥିତିକୁ ବଦଳାଇ ଦେଇଛି ଫୁଲ । ଗୋଲାପର ମହକ ସିନା ନାହିଁ କିନ୍ତୁ ସନୁଙ୍କ ଆର୍ଥିକ ମେରୁଦଣ୍ଡରେ ମହକ ଭରିଦେଇଛି ଫୁଲ । ଲାଭବାନ ଏବେ ଗୋଲାପ ଫୁଲର ଚାଷୀ । ମାଲକାନଗିରି ଜିଲ୍ଲାର ଗୋଲାପ ନର୍ସରୀକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସରକାରଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଆଣି ୨ ଏକର ଜମିରେ ଚାଷ କରି ବେଶ ସ୍ୱାବଲମ୍ବୀ ଏବେ ଗାଙ୍ଗରାଜଗୁମ୍ମାର ଚାଷୀ ସନୁ କୁମୁଡା ।

ବାଡିରେ ଫୁଟିଛି ଭଲିକି ଭଳି ଗ୍ରାଡେଏଟର କିସମର ଗୋଲାପ ଫୁଲ । ଯାହାକୁ ଦେକିବାକୁ ଲୋକଙ୍କର ଭିଡ ଜମୁଛି । ପଲ୍ଲି ଗାଁରେ ବଢିଛି ଗୋଲାପର ଚାହିଦା । ଅନ୍ୟ ଜିଲାକୁ ଯାଉଛି ମାଥିଲିର ଫୁଲ । ଦୈନିକ ଏଠାରୁ ହିଁ ଜୟପୁର , କୋରାପୁଟ , ନବରଙ୍ଗପୁର ଆଦି ସହରକୁ ପ୍ରତିଦିନ ଫୁଲ ଯାଉଛି । ଏଥିରୁ ବେଶ ଦୁଇପଇସା ପାଇ ପରିବାରର ଭରଣପୋଷଣ କରୁପାରୁଛନ୍ତି ସନୁ କୁମୁଡା ।

ଗ୍ରାଡେଏଟର ଗୋଲାପ ଫୁଲ । ଗୋଟିଏ ଫୁଲର ଦାମ ୧୦ ରୁ ୧୫ ଟଙ୍କା । ଦୈନିକ ୧ ହଜାରରୁ ୨ ହଜାର ଟଙ୍କା ଯାଏଁ ଫୁଲ ତୋଳି ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ସନୁ । ନିଜ ୨ ଏକରର ଚାଷ ଜମିରେ ଫସଲ ଫଳାଇବା ବଦଳରେ ଗୋଲାପ ଫୁଲ ଚାଷ କରି ବେଶ ସ୍ୱାବଲମ୍ବୀ ଆଦିବାସୀ ଗାଁର ଆଗୁଆ ଚାଷୀ । ପ୍ରଥମେ ପ୍ରଥମେ ଫୁଲ ଚାଷ କରିବାକୁ ମଙ୍ଗୁନଥିଲେ ସନୁ । କିନ୍ତୁ ମାଥିଲି ଜଳଛାୟା ପ୍ରକଳ୍ପ ତରଫରୁ ତାଙ୍କୁ ସଚେତନ କରାଯିବା ପରେ ନିଜ ଜମିରେ ଫୁଲ ଚାଷ ଆରମ୍ଭ କରିଥିଲେ ।

ବାର୍ଷିକ କମ ବିନିଯୋଗରେ ଫୁଲ ବିକ୍ରି କରିପାରି ଆର୍ଥିକ ସ୍ତରରେ ସ୍ୱଚ୍ଛଳ ହୋଇପାରିଛନ୍ତି ଏହି ପଛୁଆ ଅଂଚଳର ଆଗୁଆ ଚାଷୀ । ତେବେ ପଲ୍ଲୀ ଗାଁରେ ଏହି ନର୍ସରୀ ହେବା ପରେ ଫୁଲ ନେବା ଲାଗି ଲୋକଙ୍କ ଭିଡ ଯୋଗୁଁ ଗ୍ରାମବାସୀ ମଧ୍ୟ ଉତ୍ସାହିତ ହୋଇଛନ୍ତି । ସନୁଙ୍କୁ ତାଲିମ ଦେଇ ଆଗାମୀ ଦିନରେ ଗୋଲାପ ଚାରା ବିକିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ମୃର୍ତିକା ସଂରକ୍ଷଣର ସହକାରୀ ନିର୍ଦ୍ଧେଶକ ।