ସୁଜାତାଙ୍କ ‘ମିସନ୍ ଶକ୍ତି’ ପ୍ଲାନ୍: ମହିଳାଙ୍କ ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ଫେଡେରସନ

127

କନକ ବ୍ୟୁରୋ: ଛୋଟ ଛୋଟ ବ୍ୟବସାୟ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ କିପରି ବଡ଼ ବ୍ୟବସାୟ କରିପାରିବେ, ଏ ନେଇ ପଂଚାୟତ ଜନପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମରେ କହିଛନ୍ତି ମିସନ୍ ଶକ୍ତି ସଚିବ । ସୁଜାତା କାର୍ତିକେୟନ ପାଣ୍ଡିଆନ୍ କହିଛନ୍ତି, ଏସଏଚ୍ଜିକୁ ଏସ୍ଏମ୍ଇ ବନାଇବା ଲକ୍ଷ୍ୟ ରହିଛି । ଅର୍ଥାତ୍ ଏହାକୁ ସ୍ୱୟଂ ସହାୟିକା ଗୋଷ୍ଠୀର ପରିସରକୁ ଲଘୁ ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରାଯିବ ।

ଅବସର ଥିଲା ପଂଚାୟତ ଜନପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମ । ତୃଣମୂଳ ସ୍ତରରେ ଜନପ୍ରତିନିଧିମାନେ ବିକାଶ କାର୍ଯ୍ୟକ୍ରମରେ ଭାଗିଦାର ହେବେ, ଏ ନେଇ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ୫୦ ପ୍ରତିଶତରୁ ଅଧିକ ମହିଳା ଏଥର ପଂଚାୟତ ନିର୍ବାଚନ ଜିତିଥିବାରୁ ଉଦବୋଧନ ଦେଇଥିଲେ ମିଶନ ଶକ୍ତି ସଚିବ । କହିଥିଲେ, ରାଜ୍ୟ ସ୍ତରୀୟ ଫେଡେରେସନ୍ ଗଠନ କରାଯିବ ଏବଂ ମିସନ୍ ଶକ୍ତି ମହିଳା କିପରି ଡିସିସନ୍ ମେକିଂ ବା ବଡ଼ ବଡ଼ ନିଷ୍ପତି ନେବା ପାଇଁ ସକ୍ଷମ ହେବେ, ଏ ନେଇ ଉଦ୍ୟମ କରାଯିବ । ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ଦେବ ମିସନ୍ ଶକ୍ତି ।

ନଜର ପକାଇବା କ’ଣ ରହିିଛି ମିସନ୍ ଶକ୍ତିର ଯୋଜନା –
-ଆସନ୍ତା ୧୨ ମାସ ମଧ୍ୟରେ ରାଜ୍ୟସ୍ତରୀୟ ଫେଡେରସନ ଗଠନ ହେବ
-ଏହାଦ୍ୱାରା ନିଷ୍ପତି ନେବା ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରୀ ବଢାଯିବ
-୩ ବର୍ଷରେ ତିଆରି ହେବ ୫ଶହ ମିଶନ ଶକ୍ତି ବଜାର
-ବିଦେଶରେ ବିକ୍ରି ହେବ ମହିଳାଙ୍କ ଉତ୍ପାଦ
-ଅନ୍ଲାଇନ୍ରେ ବିକ୍ରି ମିସନ୍ ଶକ୍ତି ଉତ୍ପାଦ
-୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ
-ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫୦୦ ମିଶନ ଶକ୍ତି କାଫେ
-ଏସ୍ଏଚ୍ଜି ମହିଳାଙ୍କୁ ଦିଆଯିବ ଲାଇନମ୍ୟାନ ତାଲିମ

ଏବେ ବିଦ୍ୟୁତ ବିଲ୍ ଆଦାୟ କରୁଛନ୍ତି ଏସଏଚଜି ମହିଳା, ଧାନ ସଂଗ୍ରହ କରିବା ସହ ପୋଖରୀ ଲିଜ୍ ନେଉଛନ୍ତି । ମୋଟ ୫ ହଜାର କୋଟି ଟଙ୍କାର କାମ ଦିଆଯାଉଛି ମିସନ ଶକ୍ତି ମହିଳାଙ୍କୁ । ଏହାକୁ ୯ ହଜାର କୋଟି ବଢ଼ାଇବା ଲକ୍ଷ୍ୟ ରହିଛି । ଏଣିକି ବିଦ୍ୟୁତ ବିଲ୍ ଆଦାୟ ସହ ଲାଇନ ମ୍ୟାନ ଭାବେ କାମ କରିବେ ମିସନ ଶକ୍ତି ମହିଳା ।