ରାହୁଲଙ୍କ ପାଇଁ ଯାଇଥିବା କ୍ୟାମେରାରେ ଉଠିଥିଲା ସାପର ଫଟୋ। ଲୋକ ଭୟଭୀତ ହେବା ଆଶଙ୍କାରେ ପ୍ରଘଟ କରିନଥିଲା ପ୍ରଶାସନ। 

843

କନକ ବ୍ୟୁରୋ :  ବୋରୱେଲର ଚିତ୍ରକୁ ଦେଖିଲେ ଯେକୌଣସି ବ୍ୟକ୍ତିର ଛାତି ଥରିଉଠିବ । ଯେଉଁ ବୋରୱେଲ୍ ଭିତରେ ରାହୁଲ ଖସି ପଡ଼ିଥିଲା, ସେହି ବୋରୱେଲ ଭିତରେ ସାପଟିଏ ଥିଲା । ଏଥିରୁ ଅନୁମାନ କରିହେଉଛି, କିପରି ଅତିବିପଦଜନକ ଭାବେ ୧୦୫ ଘଣ୍ଟା ଧରି ଜୀବନ-ସଂଗ୍ରାମ କରୁଥିଲା ରାହୁଲ । ଭୟାନକ ଫିଲ୍ମ ଭଳି ଥିଲା ପୂରା ପରିବେଶ । ୬୦ ଫୁଟ ତଳେ ରାହୁଲ, ବେଙ୍ଗକୁ ଖାଇବା ପାଇଁ ୬୦ ଫୁଟ ତଳକୁ ଚାଲି ଆସିଥିଲା ସାପ । ଖାଦ୍ୟ-ଖାଦକର ଲଢ଼େଇ ଭିତରେ ଫସି ଯାଇଥିଲା ରାହୁଲ ।

 ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କ ଟ୍ୱିଟ୍ ସମସ୍ତଙ୍କୁ ଚକିତ କରିଥିଲା । ରାହୁଲ ଉଦ୍ଧାର ହୋଇ ବାହାରକୁ ଆସିବାର କିଛି ସମୟ ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସାପଥିବା କଥା ଉଲ୍ଲେଖ କରିଥିଲେ । ଏହା ପରେ ହିଁ ଜଣାପଡିଥିଲା ଏପରି ଏକ ଭୟାନକ ଘଟଣା ସଂପର୍କରେ । ପୂର୍ବରୁ ଉଦ୍ଧାରକାରୀ ଟିମ୍ ଓ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ବି କାଳେ ଲୋକଙ୍କ ମନରେ ଭୟ ବଢ଼ିବ, ଏ ନେଇ ନିରବ ରହିଥିଲେ ।

ବିପଦ ଯେତେବେଳେ ଆସେ, ଏକା ଆସେନାହିଁ, ସାଙ୍ଗସାଥୀ ଧରି ଆସେ । ରାହୁଲ ସହ ଠିକ୍ ସେମିତି ହୋଇଥିଲା । ରାହୁଲ ପାଖରେ ପହଁଞ୍ଚିବା ପାଇଁ ଶକ୍ତ ଚଟାଣ କାଟିବାକୁ ନାକେଦମ୍ ହୋଇଥିଲେ ଉଦ୍ଧାରକାରୀ ଦଳ । ଯେତିକି ଯେତିକି ସମୟ ବିତୁଥିଲା, ଲୋକଙ୍କ ହୃଦସ୍ପନ୍ଦନ ମଧ୍ୟ ସେତିକି ସେତିକି ବଢ଼ି ଚାଲିଥିଲା । ତେବେ ପଥର ଚଟାଣ ପରେ ରହିଥିବା ରାହୁଲ ନିକଟରେ ଯେ ସାପଟିଏ ଅଛି, ଏକଥା ସାଧାରଣ ଲୋକଙ୍କୁ ଜଣାନଥିଲା । କିନ୍ତୁ ସେସବୁ ବିପଦକୁ ଏକା ସାମ୍ନା କରୁଥିଲା ରାହୁଲ ।

ପ୍ରତି ମୁହୂର୍ତ୍ତ ଥିଲା ତା’ପାଇଁ ସଂଘର୍ଷର ମୁହୂର୍ତ୍ତ  । ସଂଘର୍ଷର ପ୍ରତି ମୁହୂର୍ତ୍ତ ତା’ ଆଗରେ ଥିଲା କାଳରୂପୀ ସାପ । ହୁଏତ ସାପ ସହ ସଂଗ୍ରାମ କରିଥିବ ରାହୁଲ । ହୁଏତ ୬୦ ଫୁଟ ଗାତ ଭିତରୁ ବାହାରି ନପାରି ସାପ ମଧ୍ୟ ଭୟଭୀତ ହୋଇ ଯାଇଥିବ । ଆଉ ରାହୁଲର କୌଣସି କ୍ଷତି କରିନଥିବ । ହୁଏତ ସାପ, ବେଙ୍ଗ ଓ ରାହୁଲ, ସମସ୍ତେ କିପରି ଏହି ମୃତ୍ୟୁ ଜାଲରୁ ଉଦ୍ଧାର ପାଇବେ, ଏହି ଚିନ୍ତାରେ କେହି କାହାର କ୍ଷତି ପହଞ୍ଚାଇ ନଥିବେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ୧୦ ବର୍ଷର ବାଳକ ଭିତରେ କେଉଁଠୁ ଆସିଲା ଏତେ ବଡ଼ ବିପଦକୁ ସାମନା କରିବାର ଶକ୍ତି । ସମ୍ଭବତଃ ଦିବ୍ୟାଙ୍ଗ ରାହୁଲଙ୍କ ମାନସିକ ଦୁୁର୍ବଳତା ତା’ ପାଇଁ ଆଶୀର୍ବାଦ ହୋଇଥିବ ।