ରାଜଧାନୀରେ ୩ ଦଳର ଶକ୍ତି ପ୍ରଦର୍ଶନ: ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ଘଟଣାରେ ବିଜେପିର ନବୀନ ନିବାସ ଘେରାଉ ଉଦ୍ୟମ

83

କନକ ବ୍ୟୁରୋ: ଧାମନଗର ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ୩ ଦଳ । ଆପାଣଙ୍କ ଟିଭି ସ୍କ୍ରିନରେ ରହିଛି ଭୁବନେଶ୍ୱରରେ ୩ ଦଳର ଆନ୍ଦୋଳନ ଚିତ୍ର । ଆଉ ବିଜେଡି , ବିଜେପି ଓ କଂଗ୍ରେସର ଏହି ଶକ୍ତିପ୍ରଦର୍ଶନ ଯୋଗୁଁ କମ୍ପିଛି ରାଜଧାନୀ ।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ବିଜେପି କର୍ମୀମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିବାବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଅର୍ଚ୍ଚନା କେଶରେ ପ୍ରଭାବଶାଳୀ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ଘେରାଉ ଅଭିମୁଖେ ବାହାରିଥିଲେ । ଏଥିରେ ବିଜେପିର ରଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟାନ୍ୟ ନେତା ସାମିଲ ହୋଇଥିଲେ । ରାଜ୍ୟ କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ଯିବା ବେଳେ ଶିଶୁଭବନ ଛକରେ ସେମାନଙ୍କ ବାଟ ଓଗାଳିଥିଲା ପୁଲିସ ।

ଚାଷୀଙ୍କୁ ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଗର୍ଜିଛି ବିଜେଡି । ଚାଷୀଙ୍କୁ ଫସଲ ବୀମା ମିଳୁନାହିଁ । କେନ୍ଦ୍ର ସରକାର ବୀମା କ୍ଷେତ୍ରରେ ସହ ଯୋଗ କରୁନଥିବା ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଏହାର ପ୍ରତିବାଦ କରି ଦଳୀୟ ନେତାମାନେ ରାଜଭବନ ଆଗରେ ଧାରଣା ଦେଇଥିଲେ । ଏହାଛଡା ୧୮ଟି ଜିଲ୍ଲାର ସଦର ମହକୁମାରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି ।

ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ଆଇଜି ପାର୍କରୁ ଭାରତ ଯୋଡୋ ଯାତ୍ରା ବାହାରିଛି । ପ୍ରଥମ ଦିନରେ ଆଇଜି ପାର୍କରୁ ବାହାରି ଫୁଲନଖରାରେ ଥିବା ଲଖେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଛି କଂଗ୍ରେସ । ଏଥିରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ସାମିଲ ହୋଇଥିଲେ । ଏହି ପଦ ଯାତ୍ରା ରାଜ୍ୟରେ ଶହେ ଦିନ ଚାଲିବ । ୨୫ ଜିଲ୍ଲାରେ ୨୨୫୦ କିଲୋମିଟର ପଦଯାତ୍ରା କରିବେ ରାଜ୍ୟ ନେତା ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନତିକ ଦଳ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଆଉ ଗୋଟିଏ ଦିନରେ ୩ ଦଳର ଶକ୍ତିପ୍ରଦର୍ଶନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।