ଜୟପୁର ରାମଗଡ଼ ଗାଁରୁ ଆସିଲା ଅଭାବନୀୟ ଚିତ୍ର। ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ।

130

କନକ ବ୍ୟୁରୋ: ଭାରରେ ବୁହା ହେଲେ ଗର୍ଭବତୀ । ପୁଣି ଆଉ ଏକ ଯୋଜନା ଅପହଞ୍ଚ ଗାଁର ଚିତ୍ର ସାମନାକୁ ଆସିଛି । ୨କିଲୋମିଟର ପର୍ଯ୍ୟନ୍ତ ଭାରରେ ବୁହାହୋଇ ଆସିଲେ ମହିଳା । ଗାଁକୁ ଭଲ ରାସ୍ତା ନଥିବା ବେଳେ ଦୀର୍ଘ ରାସ୍ତା ଅତିକ୍ରମ କରିଲାପରେ ମିଳିଲା ଆମ୍ବୁଲାନ୍ସ । ହେଲେ ବିଳମ୍ବ ହୋଇଯିବା ଯୋଗୁ ରାସ୍ତାରେ ପ୍ରସବ ହୋଇଗଲା ଶିଶୁ । ଖାଲି ସେତିକି ନୁହେଁ କୁମୁଲିପୁଟ ମେଡ଼ିକାଲ ପହଞ୍ଚିବା ପରେ ଜନ୍ମ ନେଇଛି ଆଉ ଗୋଟିଏ ଶିଶୁ । ଉଭୟ ଯାଆଁଳ ଶିଶୁଙ୍କ ଓଜନ କମ୍ ରହିଥିବାରୁ ତାଙ୍କୁ ତୁରନ୍ତ ଜୟପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କୋରାପୁଟ ଜିଲ୍ଳା ଜୟପୁର ବ୍ଳକରେ ରହିଥିବା ରାମଗଡ଼ ଗାଁରେ ଏହିଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଏହି ଗାଁ ପାହାଡ଼ ଉପରେ ରହିଛି । ୨ କିମି ପାହାଡ଼ରୁ ଓଲ୍ଳାଇଲେ ମିଳୁଛି ସୁବିଧା । ୬୦ ପରିବାର ରହୁଥିବା ଏହି ଗାଁ ପାଇଁ ବିକାଶ ଅପହଞ୍ଚ । ପ୍ରତିଥର ମିଳୁଛି ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ହେଲେ ଭୋଟ ନେଲା ପରେ ସବୁ ଭୁଲିଯାନ୍ତି । ଗାଁ ଯେମିତି କାହାର ଦରଦ ନାହିଁ । ଗାଁର ଉନ୍ନତି ପାଇଁ ବହୁବାର ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । ହେଲେ ଏପର୍ଯ୍ୟନ୍ତ ଗାଁର ଚିତ୍ର ବଦଳିପାରିନି । ଏମିତି ଅନେକ ଗୁରୁତର ରୋଗୀ ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି । ହେଲେ ଚେତୁନି ପ୍ରଶାସନ । ନିରାଶା ହୋଇ ବସିଛନ୍ତି ଗାଁର ଲୋକେ ।