କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଉଠୁୂଛି ବଡ଼ ପ୍ରଶ୍ନ । ଭାରତରେ ବିକ୍ରି ହେଉଥିବା କାର୍ ଗୁଡ଼ିକ କେତେ ସୁରକ୍ଷିତ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ । ଏତଦ୍ ବ୍ୟତୀତ ଭାରତରେ ଦୁର୍ଘଟଣା ହାର କମାଇବାକୁ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ତା’ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ନୀତୀନ ଗଡକରୀ । କହିଛନ୍ତି, ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ହାର କମାଇବା ପାଇଁ ଅଧିକ ଲେନ୍ ବିଶିଷ୍ଟ ରାସ୍ତା ତିଆରି କରାଯିବ । ଏହାସହ କାର୍ ଗୁଡ଼ିକରେ ଅଧିକ ସଂଖ୍ୟାରେ ଏୟାରବ୍ୟାଗ ଲଗାଯିବା ବାଧ୍ୟତାମୂଳକ କରାଯିବ ବୋଲି ଗଡକରୀ କହିଛନ୍ତି ।

Advertisment

ଗଡକରୀ କହିଛନ୍ତି, ସବୁ କାର୍ ଗୁଡ଼ିକରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବା ଉପରେ ମନ୍ତ୍ରାଳୟ ଗୁରୁତ୍ୱ ଦେଉଛନ୍ତି । କମ୍ପାନୀ ଗୁଡ଼ିକ ବିଦେଶକୁ ଗାଡ଼ି ପଠାଇଲେ ୬ଟି ଏୟାରବ୍ୟାଗ୍ ଲଗାଉଛନ୍ତି । କିନ୍ତୁ ଭାରତୀୟ କାର୍ ଗୁଡ଼ିକରେ ୪ଟି ଏୟାରବ୍ୟାଗ୍ ଲଗାଯାଉଛି । ଯଦି ୬ଟି ଏୟାରବ୍ୟାଗ୍ ଲାଗିବ, ତାହେଲେ ଖର୍ଚ୍ଚ କମିବ । କାରଣ ଗୋଟିଏ ଏୟାରବ୍ୟାଗର ମୂଲ୍ୟ ୯ ଶହ ଟଙ୍କା  । ଯଦି ଅଧିକ ସଂଖ୍ୟାରେ ଏୟାରବ୍ୟାଗ୍ ଲାଗିବ, ତାହେଲେ ମୂଲ୍ୟ ନିଶ୍ଚିତ କମିବ ବୋଲି କହିଛନ୍ତି ଗଡକରୀ ।

ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁକୁ ଦୁର୍ଭାଗ୍ୟଜନକ କହିଛନ୍ତି ଗଡକରୀ । ଏହି ଦୁର୍ଘଟଣା ସମସ୍ତଙ୍କ ପାଇଁ ବଡ଼ ଉଦାହରଣ । ଏଥିରୁ ସମସ୍ତେ ଶିକ୍ଷା ନେବା ଦରକାର ବୋଲି ଗଡକରୀ କହିଛନ୍ତି ।